mobile header

ସଂଗଠନ ସମ୍ଭାଳିବେ ପ୍ରସନ୍ନ, ବାଦ୍ ପଡ଼ିବେ ବବି!

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ଅସନ୍ତୋଷକୁ ଏଡ଼ାଇବା ପାଇଁ ବିଜେଡି ନିଜର ସାଂଗଠନିକ ସ୍ତରରେ କେତେକ ଆଖିଦୃଶିଆ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ସବୁ ଚାପକୁ ଅଣଦେଖା କରି ଦଳର ୩ ଜଣ ଅଭିଜ୍ଞ ଓ ପୁରୁଖା ବିଧାୟକଙ୍କୁ ଆଜି ମନ୍ତ୍ରିମଣ୍ଡଳରେ ସାମିଲ କରିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକସ୍ତରରେ ଚାପା ଅସନ୍ତୋଷ ମଧ୍ୟରେ ରହିଥିବା ବରିଷ୍ଠ ନେତାମାନଙ୍କୁ ପୁଣିଥରେ ସକ୍ରିୟ କରାଇବାକୁ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚେକ୍ ଦେବା ନିମନ୍ତେ ସଂଗଠନର ଦାୟିତ୍ୱ ବରିଷ୍ଠ ଉପସଭାପତି ତଥା ଦଳର ପ୍ରତିଷ୍ଠାତା ମହାସଚିବ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ କରାଯାଇପାରେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି । ପଂଚମ ପାଳିର ସରକାରରେ ମନ୍ତ୍ରିମଣ୍ଡଳରେ ସାମିଲକୁ ନେଇ ପ୍ରଥମଥର ପାଇଁ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦଳୀୟ ନେତାମାନଙ୍କୁ ମେଳି କରିବା ଘଟଣାକୁ ବିଜେଡି ନେତୃତ୍ୱ ବେଶ୍ ଗୁରୁତ୍ୱର ସହ ନେଇ ସୁଶାନ୍ତ ଓ ତାଙ୍କର ଗଡଫାଦରଙ୍କ ଉପରେ ଖୁବଶୀଘ୍ର ଲଗାମ ଦେବା ଭଳି ପଦକ୍ଷେପ ନେବାର ସମ୍ଭାବନା ରହିଛି ।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରସଙ୍ଗକୁ ନେଇ ଗତ ପ୍ରାୟ ଏକ ସପ୍ତାହ ଧରି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ନେତୃତ୍ୱ ଉପରେ ଚାପ ପକାଇ ଆସୁଥିଲେ । ଏପରିକି ନିଜର ଖାସ୍ ଅନୁଗତ ସମୀର ରଞ୍ଜନ ଦାଶଙ୍କ ଇସ୍ତଫାକୁ ସହଜରେ ହଜମ କରିପାରିନଥିବା ପ୍ରଣବ ଏଭଳି ମତାନ୍ତର ଯୋଗୁ ଅଚାନକ ଦିଲ୍ଲୀ ପଳାଇଥିଲେ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ସୁଶାନ୍ତ ସିଂ କିମ୍ବା ତାଙ୍କର ଜଣେ ଖାସ୍ ଅନୁଗତଙ୍କୁ ମନ୍ତ୍ରୀ କରିବା ନିମନ୍ତେ ପ୍ରଣବ ଚାପ ସୃଷ୍ଟି କରିଥିଲେ, ମାତ୍ର ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ କୌଣସି ପ୍ରକାରର ସାଲିସ୍ କରିବାକୁ ଚାହୁଁନଥିବା ବିଜେଡି ସୁପ୍ରିମୋ ଏଭଳି ପ୍ରସ୍ତାବକୁ ଏଡ଼ାଇ ଦେଇଥିଲେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି । ତଥାପି ଆଜିର ମନ୍ତ୍ରିମଣ୍ଡଳରେ ସୁଶାନ୍ତଙ୍କୁ ସାମିଲ କରାଯାଇପାରେ ବୋଲି ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏହି ପ୍ରଭାବଶାଳୀ ଗୋଷ୍ଠୀ ଆଶାବାଦୀ ରହିଥିଲା । ଯେଉଁଥିପାଇଁ ସୁଶାନ୍ତ ଆଜି ସକାଳ ୮ଟାରେ ଭୁବନେଶ୍ୱରରେ ପହଂଚି ପ୍ରାୟ ୧୦ଟାବେଳେ ବରଗଡ଼ ଅଭିମୁଖେ ଯାଇଥିବା ସୂଚନା ମିଳିଛି । ମନ୍ତ୍ରୀ ପଦରୁ ବଂଚିତ ହେବାପରେ ସୁଶାନ୍ତ ଦଳ ଉପରେ ଚାପ ସୃଷ୍ଟି ନିମନ୍ତେ ନିଜର ଅନୁଗତମାନଙ୍କୁ ଫୋନ୍ କରି ଦଳୀୟ ପଦପଦବୀରୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିଲେ । ଏପରିକି ବିଜେଡିର ଏକ ହ୍ୱାଟସଅପ୍ ଗ୍ରୁପରେ ସୁଶାନ୍ତଙ୍କ ଅନୁଗତମାନେ ମନ୍ତ୍ରୀପଦ ନମିଳିବାର ଅସନ୍ତୋଷ ବ୍ୟକ୍ତ କରିବାକୁ ପଛାଇ ନଥିଲେ । ଯଦିଓ ଏହି ଗ୍ରୁପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହିଥିବା ସୂଚନା ମିଳିଛି । ବରଗଡ଼ ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ମଧ୍ୟ ଗଣମାଧ୍ୟମରେ ସାମ୍ନାକୁ ଆସି ସୁଶାନ୍ତଙ୍କୁ ମନ୍ତ୍ରୀ ନକରାଯିବା ନେଇ ସମୂହ ଇସ୍ତଫା ଦେବାକୁ ଯୋଜନା ହେଉଥିବା ସ୍ପଷ୍ଟ କରିସାରିଛନ୍ତି । ଏଭଳି ସ୍ଥିତି ବିଜେଡି ସଂଗଠନ ସମ୍ପାଦକ ଓ ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କ ଭୂମିକାକୁ ନେଇ ସନ୍ଦେହ ଦେଖାଦେଇଛି ।

ତେବେ ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦଳରେ ବଢ଼ିଚାଲିଥିବା ଅସନ୍ତୋଷକୁ ପ୍ରଶମିତ କରିବା ଓ ଆଭ୍ୟନ୍ତରୀଣ ଗୋଷ୍ଠୀବାଦକୁ ପ୍ରୋତ୍ସାହିତ କରୁଥିବା ପ୍ରଭାବଶାଳୀ ଗୋଷ୍ଠୀକୁ ଚେକ୍ ଦେବା ନିମନ୍ତେ ବିଜେଡି ସୁପ୍ରିମୋ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି । ଯାହାଫଳରେ ୨୦୨୪ ସାଧାରଣ ନିର୍ବାଚନ ଟିକେଟ୍ ଚୟନବେଳେ ଦଳକୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏବେ ବିଭିନ୍ନ ଜିଲ୍ଲା ଗସ୍ତ ସହ ରାତି ରହଣୀ ମାଧ୍ୟମରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗସୂତ୍ର ରକ୍ଷା କରୁଛନ୍ତି । ତା’ଛଡ଼ା ବିଜେଡିର ବିଭିନ୍ନ ବର୍ଗର ନେତାମାନେ ଏବେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିଜର ଆପତ୍ତି-ଅଭିଯୋଗକୁ ପହଂଚାଇବା ନିମନ୍ତେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଯେକୌଣସି ସମୟରେ ଭେଟିବାର ସୁଯୋଗ ରହିଛି । ଆଉ ଏସବୁ ମାଧ୍ୟମରେ ଦଳର କର୍ମୀ ଓ ନେତାମାନଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷ ସମ୍ପର୍କରେ ବିସ୍ତୃତ ତଥ୍ୟ ବିଜେଡି ନେତୃତ୍ୱଙ୍କ ହସ୍ତଗତ ହୋଇଛି । ତା’ଛଡ଼ା ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନାବେଳେ ବର୍ତ୍ତମାନର ତଥାକଥିତ ପ୍ରଭାବଶାଳୀ ଗୋଷ୍ଠୀର ଷଡ଼ଯନ୍ତ୍ର(ନିର୍ବାଚନୀ ଖର୍ଚ୍ଚର ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାରୁ ପ୍ରାର୍ଥୀ ଦୀପାଳିଙ୍କୁ ଦୂରେଇ ରଖିବା) ସମ୍ପର୍କରେ ମଧ୍ୟ ଆବଶ୍ୟକ ତଥ୍ୟ ବିଜେଡି ସୁପ୍ରିମୋଙ୍କୁ କ୍ଷୁବ୍ଧ କରିଥିଲା ।

ଯେଉଁଥିପାଇଁ ବିଜେଡି ସୁପ୍ରିମୋ ଏବେ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ କରିବା ନିମନ୍ତେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ପ୍ରସନ୍ନଙ୍କ ଦୀର୍ଘବର୍ଷର ଅଭିଜ୍ଞତା, ଭଦ୍ର ଓ ନମ୍ର ଆଚରଣ ଯୋଗୁ ତାଙ୍କର ଗ୍ରହଣୀୟତା ଦଳର ସବୁ ବର୍ଗର ନେତାମାନଙ୍କ ମଧ୍ୟରେ ରହିଛି । ତେଣୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସନ୍ନଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଦେଇ ପଶ୍ଚିମ ଓଡ଼ିଶାରେ ସୁଶାନ୍ତଙ୍କ ପ୍ରଭାବ ଓ ଗୋଷ୍ଠୀବାଦକୁ ହ୍ରାସ କରିବାକୁ ଦଳ ଯୋଜନା କରିଛି । ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମଓଡ଼ିଶାର ୩୬ଟି ବିଧାନସଭା ଆସନ ମଧ୍ୟରୁ ମାତ୍ର ୨୩ଟି(୩ଟି ଉପନିର୍ବାଚନକୁ ମିଶାଇ) ଆସନ ବିଜେଡି ପାଖରେ ରହିଥିଲେ ମଧ୍ୟ ସମସ୍ତ ଲୋକସଭା ଆସନ ବିଜେପି ପାଖରେ ରହିଛି । ତେଣୁ ସୁଶାନ୍ତଙ୍କ ପ୍ରଭାବ ରହିଲେ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ବିଜେଡିର ଏହି ବିଧାୟକ ସଂଖ୍ୟାକୁ ଆହୁରି ହ୍ରାସ କରିବାର ଆଶଙ୍କା ରହିଛି । ତା’ଛଡ଼ା ରାଜା ଖାନ୍ ସହ ସମ୍ପର୍କ, ନବ ଦାସ ହତ୍ୟା ମାମଲା ଆଦିରେ ସୁଶାନ୍ତଙ୍କ ବିବାଦୀୟ ଭୂମିକାକୁ ନେଇ ବିରୋଧୀ ଦଳ ଅଭିଯୋଗ କରୁଥିବାରୁ ବିଜେଡି ନେତୃତ୍ୱ ତାଙ୍କୁ ବିଶେଷ ଗୁରୁତ୍ୱ ଦେବାକୁ ଚାହୁଁନଥିବା ଜଣାପଡ଼ିଛି । ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ର ବିବାଦରେ ରହିଛନ୍ତି । ସେ ନିଜ ନିର୍ବାଚନମଣ୍ଡଳୀ ଜୁନାଗଡ଼ ଛାଡ଼ି ନର୍ଲା ବିଧାନସଭା ଆସନ ଉପରେ ଆଖି ପକାଇ ସେଠାରେ ନିଜ ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି । ଶ୍ରୀ ମିଶ୍ର ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ଖାସ୍ ଅନୁଗତ ହୋଇଥିବାରୁ କଳାହାଣ୍ଡି ଜିଲ୍ଲାରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେହିଭଳି ଝାରସୁଗୁଡ଼ା ଜିଲ୍ଲାରେ ନବଙ୍କ ଖଣି ପରିବହନ ବ୍ୟବସାୟିକ ସାମ୍ରାଜ୍ୟ ଉପରେ ବିଜେଡିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ନଜର ପକାଇଛି । ଏସବୁ କାରଣକୁ ଦୃଷ୍ଟିରେ ରଖି ପ୍ରସନ୍ନଙ୍କୁ ଆଗକୁ ଆଣି ଦଳର ପ୍ରମୁଖ ଦାୟିତ୍ୱ ବିଶେଷକରି ପଶ୍ଚିମଓଡ଼ିଶାର ସଂଗଠନ ଦାୟିତ୍ୱ ଦେବାକୁ ଆପାତତଃ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କୁ ସମ୍ବଲପୁର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ଗୋଟିଏଥର ସେଠାରେ ଦଳର ସାଂଗଠନିକ କାର୍ଯ୍ୟର ସମୀକ୍ଷା ବି କରିନଥିବା ଏବଂ ବିଭିନ୍ନ ଜିଲ୍ଲ୍ଲାରେ ଥିବା ନିଜର ଖାସ୍ ଅନୁଗତମାନଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଦଳରେ ଗୋଷ୍ଠୀବାଦ ବଢ଼ୁଥିବା, ଶ୍ରୀ ଦାସଙ୍କ ଦଳୀୟ ନେତାମାନଙ୍କ ପ୍ରତି କ୍ରମାଗତ ଭାବେ ବଢ଼ୁଥିବା ଶାଳୀନତାବିହୀନ ଆଚରଣ ଓ ଉଚ୍ଚାରଣ ଆଦି ଖବରକୁ ନେଇ ବିଜେଡି ସୁପ୍ରିମୋ କ୍ଷୁବ୍ଧ ହୋଇଛନ୍ତି । ଏସବୁ କାରଣ ପାଇଁ ବିଜେଡି ସୁପ୍ରିମୋ ଏବେ ପ୍ରଣବଙ୍କ ପତିଆରା ଉପରେ ଲଗାମ୍ ଦେଇ ଦଳରେ ସମନ୍ୱୟ ରକ୍ଷା ସହ ସବୁ ବର୍ଗର ନେତାମାନଙ୍କ ସନ୍ତୁଷ୍ଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।  ଯାହା ଆଜି ପ୍ରାରମ୍ଭିକ ଭାବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଅନୁଭୂତ ହୋଇଛି ।

ତେବେ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶ୍ରୀ ଦାସ ନିଜର ଖାସ୍ ଅନୁଗତ ସୁଶାନ୍ତଙ୍କ ମାଧ୍ୟମରେ ବିଦ୍ରୋହ କରିବା ଭଳି ତ୍ରୁଟିର ସାହାସ କିଭଳି କରିପାରିଲେ ତାହା ଏବେ ବିଜେଡି ସୁପ୍ରିମୋଙ୍କୁ ବେଶ୍ ଚିନ୍ତାରେ ପକାଇଛି । ବିଜେଡି ସୁପ୍ରିମୋଙ୍କ ନାଁରେ ସାଂଗଠନିକ କାର୍ଯ୍ୟ ତଦାରଖ କରୁଥିବା ଶ୍ରୀ ଦାସଙ୍କ ବିନା ଇଙ୍ଗିତରେ ସୁଶାନ୍ତଙ୍କ ସମର୍ଥକମାନେ ଏଭଳି ସାହାସ କରିପାରିବେ ନାହିଁ ବୋଲି ଦଳ ଅନୁଭବ କରିଛି । ଆଉ ଏସବୁ କାରଣ ନିମନ୍ତେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଟିକେଟ୍ ବଂଟନବେଳେ ଏଭଳି ବିଦ୍ରୋହକୁ ଏଡ଼ାଇବା ନିମନ୍ତେ ଶ୍ରୀ ଦାସଙ୍କ ପତିଆରା ଉପରେ ଲଗାମ ଦେବାକୁ ବିଜେଡି ସୁପ୍ରିମୋ ପଦକ୍ଷେପ ନେବେ ବୋଲି ଦଳ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.