mobile header

ମିସନଶକ୍ତି ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ୧୧ ହଜାର କୋଟିରୁ ଊର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କରାଯାଇଛି: ବାସନ୍ତୀ ହେମ୍ବ୍ରମ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ ହୋଇପାରିଛନ୍ତି। ମିସନ ଶକ୍ତି ଗ୍ରୁପ୍‌ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମା’ମାନଙ୍କୁ ଆର୍ଥିକ ବର୍ଷ ୨୦୨୨-୨୩ରେ ୧୧ ହଜାର କୋଟିରୁ ଊର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ପରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ମିସନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି, ମା’ମାନଙ୍କୁ ବିଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜି ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ସରକାରଙ୍କ ବ୍ୟବସାୟରେ ୨୦ଟି ବିଭାଗ ସହିତ ଜଡ଼ିତ ରହିଛନ୍ତି। ଏସ୍‌ଏଚ୍‌ଜି ଗ୍ରୁପର ମା’ମାନେ ଧାନ କିଣୁଛନ୍ତି, ମାଛ ଚାଷ କରୁଛନ୍ତି, ମିସନ ଶକ୍ତି କାଫେ ପରିଚାଳନା, କୃଷି ଉତ୍ପାଦକ କ୍ଲଷ୍ଟରରେ କାର୍ଯ୍ୟ, ମିଲେଟ ମିଶନ କାଫେ ଆଦି କ୍ଷେତ୍ରରେ କାମ କରୁଛନ୍ତି। ଆମେ ମହାସଂଘଗୁଡ଼ିକୁ ଦୃଢ଼ୀକରଣ ମଧ୍ୟ କରୁଛୁ। ଭିତ୍ତିଭୂମିର ବିକାଶ କରୁଛୁ। ନିର୍ବାଚନ ଇସ୍ତାହାରକୁ ପୂରଣ କରୁଛୁ। କିଛି ଅଭିନବ ଉଦ୍ୟମ ମଧ୍ୟ କରୁଛୁ। ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଯଥା କୋଭିଡ ମ୍ୟାନେଜମେଣ୍ଟ, ଦକ୍ଷତା ବିକାଶ କ୍ଷେତ୍ରରେ କାମ କରିଛୁ। ମିସନ ଶକ୍ତି ମା’ମାନଙ୍କ ପାଇଁ ସ୍କୁଟର ବ୍ୟବସ୍ଥା କରାଯାଇଛି। ମା’ମାନେ ଆଗକୁ ବଢୁଛନ୍ତି। କିଛି ଦିନ ପୂର୍ବରୁ ୧୦ ଜଣ ମହିଳା ଦୁବାଇ ଯାତ୍ରା କରିଥିଲେ। ଏଥିରେ ସେମାନେ ବହୁତ ଖୁସି ହୋଇଥିଲେ। ମା’ମାନେ ଉଦ୍ୟୋଗୀ ହେବାକୁ ଯାଉଛନ୍ତି। ସେମାନେ ଓଡ଼ିଶା ସମେତ ଦେଶ-ବିଦେଶରେ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ମିସନଶକ୍ତି ବିକାଶ ଲାଭ କରୁଛି।

କମିସନର ତଥା ମିସନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ମିସନ ଶକ୍ତି ମହିଳାମାନଙ୍କୁ ଆମେ ଆଠ ବର୍ଷରେ ୧୧ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଛୁ। ମିସନଶକ୍ତି ଗ୍ରୁପମାନଙ୍କୁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛୁ। ଭାରତ ସରକାର ଆମକୁ ପ୍ରଶଂସା କରିଛନ୍ତି। ଅର୍ଥ, ମହିଳାଙ୍କ ପାଇଁ ମିଶନ କାଫେ, ଉଚ୍ଚମାନର କୃଷି, ସଂଗଠନକୁ ସଶକ୍ତୀକରଣ ଓ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯାଇଛି। ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ କରାଯାଉଛି। ମହିଳାମାନଙ୍କ ପାଇଁ ରାଜ୍ୟସ୍ତରରେ ଏକ ଫେଡେରେସନ ଗଠନ ହେବ। ପୂର୍ବରୁ ଏହା ଜିଲ୍ଲା ସ୍ତରରେ ରହିଛି। ସିଏମ୍‌ଆରଏଫ୍‌ ଭଳି ଏସ୍‌ଏଚ୍‌ଜି ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ରହିବ। ଏହି ପାଣ୍ଠି ମଧ୍ୟରେ ମିସନ ଶକ୍ତି ମହିଳାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ। ଏହି ୨ଟି ବ୍ୟବସ୍ଥା ଆସନ୍ତା କିଛି ମାସ ମଧ୍ୟରେ ହୋଇଯିବ। କୋଭିଡ ସମୟରେ ଏସ୍‌ଏଚ୍‌ଜି ମହିଳାଙ୍କ କାମକୁ ପ୍ରଶଂସା କରାଯାଉଛି। ଏସ୍‌ଏଚ୍‌ଜି ଗ୍ରୁପର ମା’ମାନେ ସୁରଟ ଏବଂ ଅନ୍ୟ ସ୍ଥାନରୁ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ୨କୋଟି ମିଲ୍ସ ଭୋଜନ ଦେଇଥିଲେ। ସେହି ସମୟରେ ସେମାନେ ୭୫ ଲକ୍ଷ ମାସ୍କ ପ୍ରସ୍ତୁତ କରିଥିଲେ। ଦକ୍ଷତା ବିକାଶକୁ ଆମେ ଗୁରୁତ୍ବ ଦେଉଛୁ। ଏଥି ପାଇଁ ଯୋଜନା ଆରମ୍ଭ କରାଯାଉଛି। କୋରାପୁଟ, କନ୍ଧମାଳରେ ଷ୍ଟ୍ରବେରି ଚାଷ ଓ କଫି ଚାଷ, ସମ୍ବଲପୁର, ହୀରାକୁଦରେ କେଚ୍‌ କଲଚର ମାଧ୍ୟମରେ ମାଛ ଚାଷ ହେଉଛି। ମହିଳାମାନେ ଗଜପତିରେ ଅର୍ଗାନିକ ମାଧ୍ୟମରେ ଜାମ୍-ଜେଲି ପ୍ରସ୍ତୁତ କରୁଛନ୍ତି। ଏଗୁଡ଼ିକର ବିକାଶ ପାଇଁ ସରକାର ଆହୁରି ପଦକ୍ଷେପ ନେଉଛନ୍ତି।

ମିସନ ଶକ୍ତି ମାଧ୍ୟମରେ ମହିଳାମାନେ ୧୦୨ଟି କାଫେ କରିଛନ୍ତି। ସେମାନଙ୍କର ଆର୍ଥିକ ବିକାଶ ପାଇଁ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥା ସହିତ ଚୁକ୍ତି କରାଯାଇଛି। ରୋଡସାଇଟରେ ରେଷ୍ଟ ହାଉସ କରାଯାଉଛି, ସେଠାରେ ଗାଡ଼ି ଚାର୍ଜ କରିପାରିବେ ଓ ସ୍ନାକ୍ସ ପାଇପାରିବେ। ଏଗୁଡ଼ିକର ପରିଚାଳନା ଦାୟିତ୍ବ ମିସନ ଶକ୍ତି ମା’ମାନଙ୍କ ହାତରେ ରହିବ। ମା’ମାନଙ୍କୁ ଜାତୀୟସ୍ତରରେ ପୁରସ୍କାର ମିଳିଛି। ନିକଟରେ ୧୦ ଜଣ ମହିଳା ଉଦ୍ୟୋଗୀ ଦୁବାଇ ଯାଇଥିଲେ। ଆଗାମୀ ଦିନରେ ଆହୁରି ୧୧ ଜଣ ମହିଳା ଉଦ୍ୟୋଗୀ ସିଙ୍ଗାପୁର ଯିବେ।

Leave A Reply

Your email address will not be published.