mobile header

ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନକୁ ଲୋକାର୍ପିତ କରିବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ନୂଆ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ପୂଜାରେ ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ଓମ୍ ବିର୍ଲା ବସିଥିଲେ। ପୂଜା ପରେ ପ୍ରଧାନମନ୍ତ୍ରୀଙ୍କୁ ‘ସେଙ୍ଗୋଲ’ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ‘ସଙ୍ଗୋଲ’କୁ ଧରି ଉପସ୍ଥିତ ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ପରେ ସେ ‘ସେଙ୍ଗୋଲ’କୁ ଧରି ଲୋକସଭା ବାଚସ୍ପତିଙ୍କ ଚୌକି ପାଖରେ ସ୍ଥାପିତ କରିଥିଲେ।

ଏହା ହେଉଛି ସଂସଦ ଭବନ ଲୋକାର୍ପଣର ପ୍ରଥମ ପର୍ଯ୍ୟାୟ। ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଲୋକସଭା କକ୍ଷରେ ଜାତୀୟ ସଙ୍ଗୀତ ଗାନ ସହିତ ଲୋକାର୍ପଣ ଉତ୍ସବର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

‘ସେଙ୍ଗୋଲ’କୁ ସ୍ଥାପିତ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିଥିଲେ। ନୂଆ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ। ସମ୍ମାନିତ ହୋଇଥିବା ଏହି ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଚାନ୍ଦିପୁରର ପୁରଞ୍ଜନ ଦଳାଇ ମଧ୍ୟ ଥିଲେ। ପୁରଞ୍ଜନ ନୂଆ ସଂସଦ ଭବନ ନିର୍ମାଣ ବେଳେ ଚା’ ଓ ପାଣିର ବ୍ୟବସ୍ଥା କରିଥିଲେ।

ଶ୍ରମିକମାନଙ୍କୁ ସମ୍ମାନିତ କରାଯିବା ପରେ ଏକ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଥିରେ ଉପସ୍ଥିତ ରହିଥିଲେ।

ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ସକାଳେ ଅନୁଷ୍ଠିତ ଏହି ସବୁ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

ପୁରୁଣା ସଂସଦ ଭବନର ନିର୍ମାଣ କାର୍ଯ୍ୟ ୧୯୨୧ରେ ଆରମ୍ଭ ହୋଇଥିଲା। ୧୯୨୭ରେ ଏହାର ଉଦ୍‌ଘାଟନ କରାଯାଇଥିଲା। ଏବେ ପୁରୁଣା ସଂସଦ ଭବନକୁ ୯୬ ବର୍ଷ ହୋଇଯାଇଛି। ଆଉ ୪ ବର୍ଷ ପରେ ଏହାର ଶହେ ବର୍ଷରେ ପରିଣତ ହୋଇଯିବ। ୯୬ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ସଂସଦ ଭବନ ବର୍ତ୍ତମାନର ଅନେକ ଆବଶ୍ୟକତାକୁ ପୂରଣ କରିପାରୁ ନଥିଲା। ତେଣୁ ସରକାର ବର୍ତ୍ତମାନର ଆବଶ୍ୟକତା ଓ ନୂଆ ପିଢ଼ିକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନ ନିର୍ମାଣ କରିଛନ୍ତି।

ପୁରୁଣା ସଂସଦ ଭବନର ୭୯୦ ସଦସ୍ୟ ବସିବା ଭଳି ବ୍ୟବସ୍ଥା ଥିଲା। ଭବିଷ୍ୟତକୁ ଦୃଷ୍ଟିରେ ରଖି ନୂଆ ସଂସଦ ଭବନରେ ଅଧିକ ସାଂସଦ ବସି ପାରିବା ଭଳି ବ୍ୟବସ୍ଥା କରାଯାଇଛି। ନୂଆ ସଂସଦ ଭବନର ଲୋକସଭା କକ୍ଷରେ ଏକାଥରକରେ ୮୮୮ ଜଣ ସଦସ୍ୟ ଆରାମରେ ବସିପାରିବେ। ସେହିଭଳି ରାଜ୍ୟସଭା କକ୍ଷରେ ୩୦୦ ଜଣ ସଦସ୍ୟ ବସିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଉଭୟ ଗୃହର ଯୁଗ୍ମ ଅଧିବେଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯୁଗ୍ମ ଅଧିବେଶନ ସମୟରେ ଲୋକସଭାରେ ୧୨୮୦ ସାଂସଦ ବସିପାରିବା ଭଳି ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.