mobile header

ଓଡ଼ିଶା ଆସି କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦକୁ ଠିକ୍ କରନ୍ତୁ ରାହୁଲ: ସୁର ରାଉତରାୟ 

ଭୁବନେଶ୍ୱର: କଂଗ୍ରେସ ଦଳରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତା କଂଗ୍ରେସର ସଙ୍ଗଠନକୁ ନେଇ ଯେଉଁ ଅପ୍ରିୟ ସତକୁ ସାମ୍ନାକୁ ଆଣିଛନ୍ତି ତାହାକୁ ନେଇ ଦଳ ଭିତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ଏପରିକି ଦଳ ବିରୋଧରେ ମନ୍ତବ୍ୟ ରଖିଥିବା ନେତାଙ୍କୁ ଏଆଇସିସିର ଶୃଙ୍ଖଳା କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯାହା ଦଳ ଭିତରେ ଅସନ୍ତୋଷକୁ ଆହୁରି ବଢାଉଥିବା ନେଇ କର୍ମୀମହଲରେ ଚର୍ଚ୍ଚା ଜୋର ଧରିଛି । ଦଳର ନେତାଙ୍କ ମଧ୍ୟରେ ସବୁ କିଛି ଠିକଠାକ୍ ଚାଲିନଥିବା ନେଇ ବାର୍ତ୍ତା ଯାଉଛି ।

ଏସବୁ ଭିତରେ କଂଗ୍ରେସ ବିଧାୟକ  ସୁର ରାଉତରାୟ କହିଛନ୍ତି, ରାହୁଲ ଓଡିଶା ଆସି କଂଗ୍ରେସ ନେତାଙ୍କ ଭିତରେ ଥିବା ବିବାଦ ଠିକ କରିବା ଦରକାର । ସୋନିଆ ଗାନ୍ଧୀ କିମ୍ୱା ଖଡ଼ଗେ ଆସିଲେ ଵି ଭଲ ହେବ ବୋଲି କହିଛନ୍ତି ସୁର । ସେହିପରି  ଚିରଞ୍ଜିବୀ ଓ  ମୋକିମ ଉଚିତ ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ଦଳକୁ ସୁଦୃଢ କରିବା ପାଇଁ ସେମାନେ ଦଳରେ ରହିବା ଦରକାର ବୋଲି ସୁର କହିଛନ୍ତି ।

ଏହାସହ ସୁର କହିଛନ୍ତି,  ଖୁବ ଶୀଘ୍ର ରାହୁଲଙ୍କୁ ଭୁବନେଶ୍ୱର ଡାକି ଏକ ବିରାଟ ସଭାର ଆୟୋଜନ କରାଯିବ । ଯେଉଁଠି ରାଜ୍ୟ ନେତାଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବା ସହ  ୨୦୨୪ ଲଢେଇ ପାଇଁ ଦଳୀୟ ନେତାଙ୍କୁ ଏକଜୁଟ୍ କରିବେ ରାହୁଲ । ରାଜସ୍ଥାନରେ ଆଗକୁ ନିର୍ବାଚନ ଥିବାରୁ ସେଠାରେ ମଧ୍ୟ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଥିବା ବିବାଦକୁ ଦୂର କରିବାକୁ ରାହୁଲ ଗାନ୍ଧୀ ଓ ଖଡଗେ ଉଭୟଙ୍କୁ ଏକାଠି ବସାଇ ଆଲୋଚନା କରିଛନ୍ତି । ଆଗାମୀ ନିର୍ବାଚନରେ ରାଜସ୍ଥାନରେ ଉଭୟ ଗୋଷ୍ଠୀ ଏକାଠି ହୋଇ ଲଢିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାରେ ମଧ୍ୟ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରି କଂଗ୍ରେସକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ ହେବ ବୋଲି କହିଛନ୍ତି ସୁର ।

Leave A Reply

Your email address will not be published.