ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାପରେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କରେ ଜାଣିପାରିବେ। ଏସ୍ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଭିନ୍ନ ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।
ଏଥର ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୪୮,୭୮୩ ଜଣ ରାଙ୍କ ପାଇଛନ୍ତି। ଏମାନେ ୨୩ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ଏଥର ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି । ସେହିଭଳି ଏମ ଟେକ ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଭାଗରେ ଯେପରିକି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବୈମ୍ୟୋକେଶ କାମିଲା, ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ ଟପ୍ପର ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ମେ ମାସ ୮ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି ସହରରେ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏହାସହ ଆସନ୍ତା ୨୬ରୁ ୩୦ ମଧ୍ୟରେ ସ୍ପେଶାଲ ଓଜେଇଇ ହେବ । ଜେଇ୍ ମେନ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ସ୍ପେଶିଆଲ ଓଜେଇଇ ପରୀକ୍ଷା ଦେଇ ଇଞ୍ଜିନିୟରିଂ ଆଡମିଶନ କରିପାରିବେ । ଗତକାଲିଠାରୁ ପଞ୍ଜୀକରଣ ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ।