mobile header

ସୋଆ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ: ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ରେ ଓଡ଼ିଶାରେ ପୁଣି ଏକ ନମ୍ବର ସ୍ଥାନରେ ସୋଆ

ଭୁବନେଶ୍ୱର, ଜୁନ ୫: ୨୦୨୩ ନିମନ୍ତେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୫ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ସୋମବାର ନୂଆଦିଲ୍ଲୀ ଠାରେ ଏହି ର‌୍ୟାଙ୍କିଙ୍ଗ୍‌ସ କେନ୍ଦ୍ର ଶିକ୍ଷା ଏବଂ ବର୍ହିବ୍ୟାପାର ରାଜ୍ୟମନ୍ତ୍ରୀ ଶ୍ରୀ ରାଜକୁମାର ରଞ୍ଜନ ସିଂଙ୍କ ଦ୍ୱାରା ଉନ୍ମୋଚନ ହୋଇଛି ।

ଏକ ବହୁବିଧ ବିଶ୍ୱବିଦ୍ୟାଳୟ ଭାବେ ସୋଆ ଗତ ୨୦୨୨ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗସରେ ୧୬ ତମ ସ୍ଥାନରେ ରହିଥିବା ବେଳେ ୨୦୧୬ ଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ର‌୍ୟାଙ୍କିଙ୍ଗ ପ୍ରକ୍ରିୟାରେ କ୍ରମାଗତ ୮ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖି ଆସିଛି । ଏଥି ମଧ୍ୟରୁ ୬ ବର୍ଷ ସୋଆ ଦେଶର ୨୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି । ଚଳିତ ବର୍ଷ ଏହି ପ୍ରକ୍ରିୟାରେ ସୋଆ ଆଗକୁ ଯାଇ ୧୫ ତମ ସ୍ଥାନ ଅଧିକାର କରିଛି ।

ପ୍ରଥମ ଥର ପାଇଁ ସୋଆ ଶ୍ରେଷ୍ଠ ୧୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ସାମଗ୍ରିକ କ୍ୟାଟେଗୋରିରେ ୨୬ ତମ ସ୍ଥାନ ହାସଲ କରିଛି । ଗତ ବର୍ଷ ଏହି କ୍ୟାଟେଗୋରିରେ ସୋଆ ୩୦ତମ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୪ ଟି ସ୍ଥାନ ଉପରକୁ ଉଠିପାରିଛି ।

ସେହିପରି ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍ ଏବଂ ଲ ରେ ମଧ୍ୟ ଆଗକୁ ଯାଇଛି ସୋଆ । ମେଡିକାଲ୍ ସାଇନ୍‌ସ୍ କ୍ୟାଟେଗୋରିରେ ୨୦୨୨ରେ ଦେଶରେ ୧୮ ତମ ସ୍ଥାନରେ ଥିବା ସୋଆ ଚଳିତ ଥର ୧୬ ତମ ସ୍ଥାନ ହାସଲ କରିଛି । ସେହିପରି ଲ କ୍ୟାଟେଗୋରିରେ ଏଥର ଅଷ୍ଟମ ସ୍ଥାନରେ ରହିଥିବା ସୋଆ ପୂର୍ବ ବର୍ଷ ୯ମ ସ୍ଥାନରେ ରହିଥିଲା ଏବଂ ଡେଂଟାଲ୍ ସାଇନ୍‌ସରେ ଏଥର ୯ମ ସ୍ଥାନରେ ଥିବା ବେଳେ ଗତ ବର୍ଷ ୧୦ମ ସ୍ଥାନରେ ରହିଥିଲା । ଚଳିତ ବର୍ଷ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ ଏବଂ ଲ’ କ୍ୟାଟେଗୋରିରେ ଓଡ଼ିଶାରେ ସୋଆ ଏକ ନମ୍ବର ସ୍ଥାନରେ ରହିଛି ।

ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ୨୦୨୨ ଭଳି ଚଳିତ ବର୍ଷ ମଧ୍ୟ ୨୭ ତମ ସ୍ଥାନ ବଜାୟ ରଖିଥିବା ବେଳେ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ଇଞ୍ଜିନିୟରିଂ କ୍ୟାଟେଗୋରିରେ ଓଡ଼ିଶାରେ ଏକ ନମ୍ବର ସ୍ଥାନରେ ରହିଛି ଏନ୍‌ଆଇଟି, ରାଉରକେଲା । ସେହିପରି ପ୍ରଥମ ଥର ପାଇଁ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ୫୭ ତମ ସ୍ଥାନ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏକ୍ସଆଇଆଇଏମ୍ ବିଶ୍ୱବିଦ୍ୟାଳୟ ଏକ ନମ୍ବର ସ୍ଥାନରେ ରହିଛି ।

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସ ଅନୁଯାୟୀ ପୂର୍ବାଂଚଳରେ ସୋଆ ମେଡିକାଲ୍ ସାଇନ୍‌ସେସ୍ ଏବଂ ଡେଂଟାଲ୍ ସାଇନ୍‌ସେସ୍‌ରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଲ’ କ୍ୟାଟେଗୋରିରେ ୨ୟ ସ୍ଥାନ, ବିଶ୍ୱବିଦ୍ୟାଳୟ କ୍ୟାଟେଗୋରିରେ ତୃତୀୟ ସ୍ଥାନ ଏବଂ ସାମଗ୍ରିକ କ୍ୟାଟେଗୋରିରେ ୪ର୍ଥ ସ୍ଥାନ ହାସଲ କରିଛି । ପୂର୍ବଭାରତରେ ଇଞ୍ଜିନିୟରିଂ କ୍ୟାଟେଗୋରିରେ ୫ମ ସ୍ଥାନ ହାସଲ କରିଛି ସୋଆ ।

ଗତ ବର୍ଷ ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ସୋଆକୁ ସର୍ବାଧିକ ଗ୍ରେଡ୍ ଇ++ ରେ ପୁନଃସ୍ୱୀକୃତି ଦେଇଛି ।

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଏନଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍‌ସରେ ବିଶ୍ୱବିଦ୍ୟାଳୟର ସଫଳତାକୁ ନେଇ ଖୁସିବ୍ୟକ୍ତ କରିବା ସହ ଫ୍ୟାକଲ୍ଟି ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିରବଚ୍ଛିନ୍ନ ପରିଶ୍ରମ ଦ୍ୱାରା ସୋଆକୁ ସଫଳତାର ଉଚ୍ଚତମ ସୋପାନରେ ପହଂଚାଇବାକୁ ସେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଅବସରରେ ବିଶ୍ୱବିଦ୍ୟାଳୟର ସଫଳତା ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମକୁ ଶ୍ରେୟ ଦେବା ସଂଗେ ସଂଗେ ଆଗାମୀ ୫ ବର୍ଷରେ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନୀତ ହେବା ନିମନ୍ତେ ଚେଷ୍ଟା ଜାରୀ ରଖିବ ବୋଲି କହିଛନ୍ତି ।

Leave A Reply

Your email address will not be published.