ଜୁନ ୧୫ ତାରିଖ ପର୍ଯ୍ୟନ୍ତ ତଦନ୍ତ ସାରିବାକୁ ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ, ସରିନି ଆନ୍ଦୋଳନ: ସାକ୍ଷୀ ମଲ୍ଲିକ

ନୂଆଦିଲ୍ଲୀ: ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗରେ କୁସ୍ତି ଖେଳାଳି ତଥା ରେସଲର ଏବଂ ସରକାର ମଧ୍ୟରେ ସକରାତ୍ମକ ବାର୍ତ୍ତାଳାପ ହୋଇଛି। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, ଆଲୋଚନା ହୋଇଥିବା ପ୍ରସଙ୍ଗରେ ହୋଇଥିବା ଅଭିଯୋଗଗୁଡ଼ିକର ଅନୁସନ୍ଧାନ ଶେଷ ହୋଇ ଜୁନ୍ ୧୫ ସୁଦ୍ଧା ଚାର୍ଜସିଟ୍ ଦାଖଲ କରାଯିବ ଏବଂ ରେସଲିଂ ଫେଡେରେସନ୍ ୩୦ ଜୁନ୍ ସୁଦ୍ଧା ନିର୍ବାଚନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଇତି ମଧ୍ୟରେ ରେସଲିଂ ଫେଡେରେସନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯିବା ସହ ଏହାକୁ ଜଣେ ମହିଳା ନେତୃତ୍ୱ ନେବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀରେ ସାମ୍ୱାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ, ଖେଳାଳିମାନଙ୍କ ତରଫରୁ ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକଙ୍କ ସମେତ କିଛି ଅନ୍ୟ ଖେଳାଳି କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଉଭୟ ଖେଳାଳି ଏବଂ ସରକାରଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଜୁନ୍ ୧୫ ସୁଦ୍ଧା ତଦନ୍ତ ଶେଷ ହେବ ବୋଲି କୁହାଯାଇଛି। ଏତଦ୍‌ ବ୍ୟତୀତ ଖେଳାଳିମାନଙ୍କ ବିରୁଦ୍ଧରେ ପଞ୍ଜୀକୃତ ମାମଲା ପ୍ରତ୍ୟାହାର କରିବାକୁ ନିଶ୍ଚିତ କରାଯାଇଥିବା କଥା କହିଛନ୍ତି ଖେଳାଳିମାନେ।

ଅପର ପକ୍ଷରେ ଖେଳାଳିମାନେ ପ୍ରକାଶ କରିଛନ୍ତି ଯେ, ‘ଆମର ବିରୋଧ ଶେଷ ହୋଇନାହିଁ, ବିରୋଧ ଜାରି ରହିବ’।

ଏଠାରେ ଉଲ୍ଲେଖ କରାଯାଇପାରେଯେ, କ୍ରୀଡ଼ା ମନ୍ତ୍ରୀ ଏବଂ କୁସ୍ତିଖେଳାଳିମାନଙ୍କ ମଧ୍ୟରେ ବାର୍ତ୍ତାଳାପ ୫ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା।

ତେବେ ବିଶେଷ କରି ନିମ୍ନ ଲିଖିତ ବିନ୍ଦୁ ଗୁଡ଼ିକ ଉପରେ ଆଲୋଚନା ହୋଇ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

୧- ଜୁନ୍ ୧୫ ସୁଦ୍ଧା ତଦନ୍ତ ଶେଷ ହେବ ବୋଲି ଖେଳାଳିଙ୍କୁ ନିଶ୍ଚିତ କରାଯାଇଛି।

୨- ରେସଲିଂ ଆସୋସିଏସନ ନିର୍ବାଚନ ଜୁନ୍ ୩୦ ସୁଦ୍ଧା ଅନୁଷ୍ଠିତ ହେବ।

୩ – ଖେଳାଳିମାନଙ୍କ ଉପରେ ପଞ୍ଜିକୃତ ହୋଇଥିବା ମାମଲାଗୁଡ଼ିକ ପ୍ରତ୍ୟାହାର କରିବାକୁ ଖେଳାଳି ଆଶ୍ୱାସନା ଦିଆଯାଇଛି।

୪ – କୁସ୍ତିଖୋଳାଳିମାନଙ୍କର ଅନୁରୋଧ ଅନୁରୋଧ ଅନୁଯାୟୀ, ୩ ଟି ଟର୍ମ ପୂରଣ କରିସାରିଥିବା ବ୍ରିଜ ଭୂଷଣ ଶରଣ ସିଂ ଏବଂ ତାଙ୍କ ସହଯୋଗୀମାନେ ଯେପରି ପୁନର୍ବାର ନିର୍ବାଚିତ ନ ହୁଅନ୍ତି ସେଥିପାଇଁ ଖେଳାଳିମାନେ ପ୍ରସ୍ତାବ ରଖିଛନ୍ତି।

ଅପର ପକ୍ଷରେ ‘ଯଦି ଦାବି ପୂରଣ ନହୁଏ ତେବେ ଆନ୍ଦୋଳନର ପୁନର୍ବିଚାର କରାଯିବ’ ବୋଲି ସାକ୍ଷୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି।

କୁସ୍ତିଖେଳାଳିମାନେ ନାବାଳିକାଙ୍କ ସମେତ ମହିଳା କୁସ୍ତି ଖେଳାଳିମାନଙ୍କ ସହିତ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ବ୍ରିଜ ଭୂଷଣ ସିଂକୁ ଗିରଫ କରିବାକୁ ଦାବି କରିଥିଲେ। କିନ୍ତୁ ଏହି ଦାବି ଉପରେ କେନ୍ଦ୍ର ମନ୍ତ୍ରୀ କୌଣସି ମନ୍ତବ୍ୟ ନଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କର ପ୍ରଶ୍ନକୁ ଏଡ଼ାଇ କୌଣସି ଉତ୍ତର ଦେଇନଥିଲେ।

ମେ’ ୨୮ରେ ରେସଲରମାନେ ସଂସଦ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏଥିସହ ସେମାନଙ୍କ ନାଁରେ ମାମଲା ମଧ୍ୟ କରିଥିଲା। ପୁଲିସ୍‌ ରୁଜୁ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ରେସଲରମାନେ ଦାବି ରଖିଛନ୍ତି। ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ମଧ୍ୟ ପୁଣିଥରେ ଦୁଇ ରେସଲର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଗରେ ଦୋହରାଇଛନ୍ତି।

ବଜରଙ୍ଗ ପୁନିଆ କହିଛନ୍ତି, “ସରକାର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଜୁନ ୧୫ ସୁଦ୍ଧା ପୁଲିସ୍‌ର ତଦନ୍ତ ସରିବ। ଆମେ ରେସଲରଙ୍କ ବିରୋଧରେ ହୋଇଥିବା ସମସ୍ତ ଏଫଆଇଆରକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛୁ। ଯଦି ଜୁନ ୧୫ ସୁଦ୍ଧା କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନ ହୁଏ, ତା’ହେଲେ ଆମେ ଆନ୍ଦୋଳନ ଜାରି ରଖିବୁ। ୧୫ ସୁଦ୍ଧା ସବୁ ପ୍ରକାରର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମକୁ ପ୍ରତିଶ୍ରୁତି ମିଳିଛି।” 

ସୂଚନାଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଅନୁରାଗ ଠାକୁର ଟୁଇଟ୍ କରି ରେସଲରମାନଙ୍କୁ ସର୍ବସାଧାରଣରେ ବୈଠକ ପାଇଁ ଡାକିଥିଲେ। ଗତକାଲି ବିଳମ୍ୱିତ ରାତି ୧୨.୪୭ ରେ ଅନୁରାଗ ଠାକୁର ଏହି ଟୁଇଟ୍ କରି କୁସ୍ତି ଖେଳାଳି ମାନଙ୍କ ସହ ବୈଠକ କରି ଆଲୋଚନା କରିବେ ବୋଲି ପ୍ରକାଶ କରିଥିଲେ।

ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା କୁସ୍ତିଖେଳାଳିମାନଙ୍କ ମଧ୍ୟରୁ ବିନେଶ ଫୋଗାଟ ହରିୟାଣାର ନିଜ ଗାଁ ବାଲାଲିରେ ଥିବାରୁ ଏହି ବୈଠକରେ ଯୋଗ ଦେଇନଥିଲେ।

Leave A Reply

Your email address will not be published.