ଯାଜପୁର: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଯାଜପୁର ଜିଲ୍ଲାର ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟ ରାଜନୀତିରେ ଯାଜପୁରିଆ ନେତାଙ୍କ ଦବଦବା ରହିଆସିଛି। ସ୍ବର୍ଗତ ଅଶୋକ ଦାସ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ସ୍ବର୍ଗତ କଳ୍ପତରୁ ଦାସଙ୍କ ପରେ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କର ରାଜନୈତିକ ଗୋଟି ଚାଳନା ବେଶ ଚର୍ଚ୍ଚାରେ। ୨୦୧୯ ସାଧାରଣ ନିର୍ବାଚନ ଏବଂ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବବିଙ୍କ ବିରୋଧୀ ଶିବିର ଧ୍ବସ୍ତ ହୋଇଯାଇଥିଲା। ଯାହା ଫଳରେ ଯାଜପୁର ଜିଲ୍ଲାରେ ବିରୋଧୀ ବିଜେପି ଓ କଂଗ୍ରେସ ଶିବିରରେ ନେତୃତ୍ବ ସଙ୍କଟ ଦେଖାଦେଇଛି। ଅପରପକ୍ଷରେ ଜିଲ୍ଲାର ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୪ଟି ଆସନରେ ଏକାଧିକ ନେତା ବିଜେଡିରେ ସାମିଲ ହେବା ଫଳରେ ଗୋଷ୍ଠୀ ବିବାଦ ତୀବ୍ର ହୋଇଛି। ଏବେ ବରୀ, କୋରେଇ, ବଡ଼ଚଣା ଓ ଧର୍ମଶାଳାରେ ବିଜେଡି ଦୁଇଭାଗ ହେବାକୁ ବସିଛି। ତେଣୁ ଆଗାମୀ ନିର୍ବାଚନରେ ବବି କି ପ୍ରକାର ରଣନୀତି ଆପଣାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।
୨୦୧୯ରେ ବରୀରେ ବିଜେପି ଶିବିରର ମୁଖ୍ୟ ସେନାପତି ସୁନନ୍ଦା ଦାସଙ୍କ ସ୍ବାମୀ ଦେବୁଲ ଦାସଙ୍କୁ ବିଜେଡିକୁ ଆଣି ବବି ଏକ ମାଷ୍ଟର ଷ୍ଟ୍ରୋକ୍ ଖେଳିଥିଲେ ବୋଲି କୁହାଯାଉଥିଲା। ବିଜେଡି ନେତା ଦେବାଶିଷ ନାୟକ ନିର୍ବାଚନ ମୈଦାନରୁ ଓହରିଗଲେ। ସୁନନ୍ଦା ଦାସ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେପିର ବିଶ୍ବରଞ୍ଜନ ମଲ୍ଲିକଙ୍କୁ ହରାଇ ବିଧାୟିକା ହେଲେ। ଏହାପରେ ପଞ୍ଚାୟତ ନିର୍ବାଚନରେ ବବି ପୁଣି ଗୋଟିଚାଳନା କରି ବିଶ୍ବରଂଜନଙ୍କୁ ବିଜେଡିରେ ସାମିଲ କରି ବରୀରେ ବିଜେପି ପାଇଁ ନେତୃତ୍ବ ସଙ୍କଟ ସୃଷ୍ଟି କରିଦେଲେ। ତେବେ ବର୍ତ୍ତମାନ ବରୀରେ ସୁନନ୍ଦା ଓ ବିଶ୍ବ ଶିବିର ମଧ୍ୟରେ ବିବାଦ ଶିଖର ଛୁଇଁଛି। ଏହି ଦୁଇ ନେତାଙ୍କ ପାଇଁ ଏଠାରେ ବିଜେଡି ଦୁଇ ଫାଳ।
ସେହିପରି କୋରେଇରେ ଗତ ନିର୍ବାଚନରେ ଆକାଶ ଦାସନାୟକଙ୍କୁ ଟିକେଟ୍ ନଦେଇ ବିଜେପିରୁ ଅଶୋକ ବଳଙ୍କୁ ଆଣି ବିଧାୟକ ପ୍ରାର୍ଥୀ କରିବାରେ ବବିଙ୍କ ପ୍ରମୁଖ ଭୂମିକା ଥିଲା। ଏବେ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସନାୟକ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାକୁ ନେଇ ଅଶୋକ – ଆକାଶ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି।
ଅନୁରୂପ ଭାବେ ବଡ଼ଚଣାରେ ବିଧାୟକ ଅମର ପ୍ରସାଦ ଶତପଥୀ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତାଙ୍କ ବାଟରେ କଣ୍ଟା ହେବାକୁ ଯାଉଛନ୍ତି ଜନ୍ମେଜୟ ଲେଙ୍କା। ଗତ ନିର୍ବାଚନ ସମୟରେ ବବିଙ୍କ ଭରସାରେ ବିଜେଡିରେ ସାମିଲ ହୋଇଥିବା କଂଗ୍ରେସ ନେତା ଜନ୍ମେଜୟ ଲେଙ୍କା ଏବେ ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ରେ ସମାନ୍ତରାଳ ବୈଠକ କରୁଛନ୍ତି। ବିଧାୟକ ଶ୍ରୀ ଶତପଥୀଙ୍କ ସହ ଥିବା ଯୁବନେତାମାନଙ୍କୁ ନିଜ ପାଖକୁ ଟାଣିବା ପାଇଁ ଶ୍ରୀ ଲେଙ୍କା ଚେଷ୍ଟା କରୁଛନ୍ତି। ଏହାକୁ ନେଇ ବଡ଼ଚଣାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଅବସ୍ଥାରେ। ସେହିପରି ଧର୍ମଶାଳାରେ ମଧ୍ୟ ବିଜେଡି ଗୋଷ୍ଠୀ ବିବାଦ ଆରମ୍ଭ ହୋଇଛି। ବିଧାୟକ ପ୍ରଣବ କୁମାର ବଳବନ୍ତରାୟ(ଜିତୁ) ନିଜର ପ୍ରଭାବ ବଳରେ ଅସନ୍ତୋଷକୁ ଚାପିଥିବା ସତ୍ତ୍ବେ ଯୁବନେତା ସତୀଶ ବିଶ୍ବାଳ ତୃଣମୂଳରେ ସମର୍ଥନ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ପୁରୁଖା ନେତା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନରେଶ ମହାନ୍ତି ନିଜର ସଙ୍ଗଠନକୁ ସଜାଡିବାରେ ଲାଗିଛନ୍ତି। ନରେଶ ମହାନ୍ତି ବିଜେଡିରୁ ନିଲମ୍ବନ ପରେ ଏବେ ଜିତୁଙ୍କୁ ଟକ୍କର ଦେବାକୁ କାମ କରୁଛନ୍ତି। ତେଣୁ ଧର୍ମଶାଳାରେ ଆଗାମୀ ନିର୍ବାଚନରେ ବିଜେଡିର ଦୁଇ ଗୋଷ୍ଠୀର ପ୍ରଭାବ ରହିବ ବୋଲି ଆଭାସ ମିଳିଲାଣି। ଏଭଳି ସ୍ଥିତିରେ ରାଜ୍ୟ ସଂଗଠନ ସଂପାଦକ ଜିଲ୍ଲା ବିଜେଡିର ସମସ୍ୟାକୁ କିଭଳି ସମାଧାନ କରୁଛନ୍ତି ତାହା ଉପରେ ରାଜନୈତିକ ମହଲର ନଜର।