ପୁରୀ: ଅବଶେଷରେ ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ନିଜ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିଛନ୍ତି। ମଙ୍ଗଳବାର ଅପରାହ୍ଣ ୩ଟା ୪ ମିନିଟରୁ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଏବେ ଶରଧାବାଲିରେ ଲାଗିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି।
ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଛି। ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ। ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା।
ଉଲ୍ଲେଖଯୋଗ୍ୟ, ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତମାନେ ଶ୍ରଦ୍ଧାର ସହିତ ଶରଧାବାଲି ଆଡ଼କୁ ଟାଣି ନେଇଥିଲେ। ମଙ୍ଗଳବାର ଅପରାହ୍ଣ ୪ଟା ୪୦ରେ ନନ୍ଦିଘୋଷ, ୩ଟା ୫୫ରେ ଦର୍ପଦଳନ ଏବଂ ୩ଟା ୪ ମିନିଟରେ ତାଳଧ୍ବଜ ଶରଧାବାଲି ଅଭିମୁଖେ ଗଡ଼ିଥିଲା। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜକୁ ଟାଣିବା ଆରମ୍ଭ କରିଦେଇଥିଲେ। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ବନିରେ ବଡ଼ଦାଣ୍ଡ ଉଛୁଳି ପଡ଼ିଥିଲା।
ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ପ୍ରବଳ ଖରାକୁ ଗୁଳୁଗୁଳିକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଥିଲେ। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ଲଗାଯାଇଥିଲା।
ଆଜି ସମସ୍ତ ତିନି ରଥ ଶରଧାବାଲିରେ ଲାଗିବା ପରେ ହଜାର ହଜାର ଭକ୍ତ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତଙ୍କ ଭିଡ କମିନାହିଁ। ଉତ୍ସବମୁଖର ହୋଇ ପଡିଛି ଶରଧାବାଲି। ଲକ୍ଷାଧିକ ଭକ୍ତ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ଆଜି ଶ୍ରୀଜିଉଙ୍କ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ।
ମଙ୍ଗଳବାର ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ତିନି ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମା’ ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀ ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।