ଗଠନ ପୂର୍ବରୁ ବିରୋଧୀ ମେଣ୍ଟରେ ଫାଟ, କେହି କାହା ଉପରେ ବିଶ୍ବାସ କରୁନାହାନ୍ତି

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପାଟନାରେ ବିଜେପି ବିରୋଧରେ ବିଭିନ୍ନ ବିରୋଧୀ ଦଳ ଏକାଠି ହେଉଛନ୍ତି । କିନ୍ତୁ ଏହି ମେଣ୍ଟ ଗଠନ ପୂର୍ବରୁ ହିଁ ଏଥିରେ ଫାଟ ଦେଖାଗଲାଣି । ଗୋଟିଏ ପଟେ ଆମ ଆଦମି ପାର୍ଟି କଂଗ୍ରେସକୁ ଚେତାବନୀ ଶୁଣାଇଥିବାବେଳେ ଅନ୍ୟପଟେ ମାୟାବତୀଙ୍କୁ ଏଥିପାଇଁ ଡକାଯାଇନାହିଁ ।

ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ସମର୍ଥନ ନ କଲେ ବୈଠକରୁ ଓହରିଯିବ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) କଂଗ୍ରେସକୁ ଚରମବାଣୀ ଶୁଣାଇଛି । ଏହାର ଜବାବରେ କଂଗ୍ରେସ କହିଛି ଯେ ଆଗରୁ କଂଗ୍ରେସ ପାର୍ଟି କୌଣସି ବୈଠକକୁ ଯିବା ପୂର୍ବରୁ ସର୍ତ୍ତ କିପରି ରଖୁଛି ? କଂଗ୍ରେସ କୌଣସି ଚାପରେ ଆସିବ ନାହିଁ ବୋଲି ଦଳ କହିଛି ।

ଅନ୍ୟପକ୍ଷରେ ଏହି ବୈଠକକୁ ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷା ମାୟାବତୀଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ସେ ଖପ୍ପା ହୋଇଯାଇଛନ୍ତି । ସେ ବିରୋଧୀ ଦଳର ଏକତାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଡାକିଥିବା ବୈଠକ ‘ ହୃଦୟ ନ ମିଶୁ ପଛେ ହାତ ମିଳାଇବା ଜାରି ରଖ’ କଥାକୁ ପ୍ରତିଫଳିତ କରୁଛି ।

ବିଏସପି ସୁପ୍ରିମୋ ମାୟାବତୀଙ୍କୁ କାହିଁକି ନିମନ୍ତ୍ରଣ କରାଯାଇନାହିଁ , ଏହି ପ୍ରଶ୍ନର ଜବାବରେ ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ଥିବା ଦଳଗୁଡ଼ିକୁ ଆମେ ହିଁ ନିମନ୍ତ୍ରଣ କରିଛୁ । ଆମେ କାହିଁକି ଆମ ନିମନ୍ତ୍ରଣକୁ ନଷ୍ଟ କରିବୁ ?”

Leave A Reply

Your email address will not be published.