ଚିନ୍ତାରେ ଖାଉଟି: କାଲି ଥିଲା ୪୦, ଆଜି ଟମାଟୋ କିଲୋକୁ ଶହେ

ଭୁବନେଶ୍ବର: ଗତକାଲି ଥିଲା ୪୦ କି ୫୦ ଟଙ୍କା। ହେଲେ ଆଜି ରାଜ୍ୟର ଅଧିକାଂଶ ଜାଗାରେ ଟମାଟୋର ଦର ଶହେ ଛୁଇଁଛି। କେତେକ ଜାଗାରେ ତ ଏହାର ଦର ଶହେ ପାର କରିଥିବାର ଖବର ମିଳିଛି। କଟକ ଛତ୍ର ବଜାରରେ ଆଜି ସକାଳେ ଟମାଟୋ କିଲୋ ପିଛା ୯୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିଲା। ଏଣେ ବ୍ରହ୍ମପୁର ଓ ବାଲେଶ୍ବରରେ ୧୦୦ରୁ ୧୨୦ ଟଙ୍କା ଯାଏ ଏହାର ଦର ଥିଲା। ଅବଶ୍ୟ ରାଜଧାନୀର ଏକ ନମ୍ବର ହାଟରେ ଟମାଟୋର ଦର ଟମାଟୋ କିଲୋ ପିଛା ଥିଲା ୮୦ ଟଙ୍କା। କିନ୍ତୁ ରାଜଧାନୀର କେତେକ ସ୍ଥାନରେ ଏହାର ମୂଲ୍ୟ ଶହେ ଟଙ୍କା ଥିବା ଜଣାଯାଇଛି।

ଟମାଟୋର ଅହେତୁକ ଦରବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି। ଯେଉଁମାନେ କିଲେ ନେଉଥିଲେ, ସେମାନେ ଏବେ ୨୫୦ ଗ୍ରାମ୍ କି ଅଧା କିଲୋ ନେଉଥିବା କହିଛନ୍ତି କିଛି ଖାଉଟି।

ଏନେଇ ବ୍ୟବସାୟୀଙ୍କ କହିବା କଥା ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି। ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବିକିଥିଲେ । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ। ଏହା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି। ଏବେ କେବଳ ବେଙ୍ଗାଲୁରୁ ଉପରେ ଟମାଟୋ ବ୍ୟବସାୟୀ ନିର୍ଭରଶୀଳ। ଏଭଳି ସ୍ଥିତି ଅତିକମରେ ଆହୁରି ୧୫ ଦିନ ଲାଗି ରହିବ ବୋଲି ବ୍ୟବସାୟୀ କହିଛନ୍ତି।

Leave A Reply

Your email address will not be published.