ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ; ବଡ଼ଦାଣ୍ଡରୁ ଶ୍ରୀଜିଉଙ୍କ ବିରଳ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ: ପବିତ୍ର ଏକାଦଶୀ ତିଥିରେ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି। ମହଣ ମହଣ ସୁନାରେ ଆଜି ରଥ ଉପରେ ସଜେଇ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ଏ ଅପୂର୍ବ ରୂପକୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସୁନାବେଶ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା କରାଯାଉଛି । ସେପଟେ ନୂଆକରି ରୂପାଛାଉଣୀ ହୋଇଥିବା ସିଂହଦ୍ବାରକୁ ଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ ।

ମହାପ୍ରଭୁଙ୍କ ଏ ଅପୂର୍ବ ରୂପକୁ ମହାଆନନ୍ଦରେ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ସର୍ବମୋଟ ୫ଥର ସୁନାବେଶ ହୋଇଥାଏ । ବର୍ଷସାରା କରାଯାଉଥିବା ସୁନାବେଶ ମଧ୍ୟରୁ ରଥ ଉପରେ କରାଯାଉଥିବା ସୁନାବେଶ ସବୁଠୁ ବଡ଼ । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଶ୍ରୀବିଗ୍ରହମାନେ ମାଘପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଏବଂ ଦଶହରା ଅବସରରେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଦର୍ଶନ ଦେଇଥାନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଶ୍ରୀମନ୍ଦିର ଭିତରେ ଯେହେତୁ ସବୁବର୍ଗର ଭକ୍ତ ଦର୍ଶନ କରିପାରନ୍ତି ନାହିଁ ତେଣୁ ରଥଯାତ୍ରା ସମୟରେ ରଥ ଉପରେ ଶ୍ରୀଜିଉମାନଙ୍କର ଏହି ଦୁର୍ଲଭ ଓ ଆକର୍ଷଣୀୟ ସୁନାବେଶ କରାଯାଏ । ଯାହାକୁ ସମସ୍ତେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ସୁନାବେଶର ଇତିହାସ ଉପରେ ଆମେ ଯଦି ନଜର ପକାଇବା ତାହେଲେ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା । କପିଳେନ୍ଦ୍ର ଦେବ କୃଷ୍ଣାନଦୀ ପର୍ଯ୍ୟନ୍ତ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ବହୁ ରାଜାଙ୍କୁ ପରାସ୍ତ କରି ସେମାନଙ୍କ କରିଟୀ, ମୁକୁଟ, ସିଂହାସନ ଏବଂ ସୁନାକୁ ୧୬ଟି ହାତୀ ପିଠିରେ ଲଦି ଆଣିଥିଲେ । ସେହି ସୁନାକୁ ସେ ନିଜ କାର୍ଯ୍ୟରେ ନଲଗାଇ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଇଥିଲେ । ବିଭିନ୍ନ ରାଜ୍ୟ ଜୟ କରି ରାଜା କପିଳେନ୍ଦ୍ର ଦେବ ଆଣିଥିବା ସୁନାରେ ମହାପ୍ରଭୁଙ୍କ ପାଇଁ ତିଆରି ହୋଇଥିଲା ବିଭିନ୍ନ ଅଳଙ୍କାର ।

ମହାପ୍ରଭୁ ହେଉଛନ୍ତି ନିରାକାର, ନିରଞ୍ଜନ, ପରଂବ୍ରହ୍ମ । ଦାରୁବ୍ରହ୍ମଙ୍କର ହାତ ନାହିଁ, ଗୋଡ଼ ନାହିଁ, ବୋଲି ଯେଉଁମାନେ କୁହନ୍ତି, ସେମାନେ ଆଜି ଦେଖନ୍ତୁ ମହାପ୍ରଭୁ ଆଜି ସ୍ବୟଂ ସମ୍ପୂର୍ଣ୍ଣ ହୋଇ ରଥ ଉପରେ ବସିଛନ୍ତି। ମହାବାହୁଙ୍କର ଆଜି ସୁନାର ଶ୍ରୀଭୂଜ ଲାଗିଛି, ଶ୍ରୀପୟର ଲାଗିଛି । ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥା ବାହୁନା ପରଦିନ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିର ଆଜି ସିଂହଦ୍ବାରରେ ଦଣ୍ଡାୟମାନ ତିନି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକର୍ଷଣୀୟ ସୁନାବେଶକୁ ଦର୍ଶନ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ସେପଟେ ପ୍ରଥମ କରି ଶ୍ରୀମନ୍ଦିରର ସିଂହଦ୍ବାର ମଧ୍ୟ ରୂପାଛାଉଣୀ ହୋଇଛି । ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇ ଫେରିବା ପୂର୍ବରୁ ସିଂହଦ୍ବାର ରୂପାଛାଉଣୀ କାମ ସାରି ଦେଇଛନ୍ତି କାରୀଗରମାନେ । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ କରାଯାଇଥିବା ବେଳେ ଏବେ ଶ୍ରୀମନ୍ଦିର ସିଂହଦ୍ବାର ରୂପାରେ ଝଲସୁଛି। ସେହିଭଳି ଆଜି ASI ଡିଜି କିଶୋର ଦାସ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପର ଅନୁଧ୍ୟାନ କରିଛନ୍ତି। ମହାପ୍ରଭୁଙ୍କ ଗର୍ଭଗୃହର ସ୍ଥିତି ଠିକ୍ ଅଛି ବୋଲି କହିଛନ୍ତି ASI ଡିଜି ।

ମହାପ୍ରଭୁଙ୍କ ସୁନାବେଶ ପାଇଁ ପୁରୀରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇଛି । ଚଳିତ ବର୍ଷ ଡ୍ରୋନ୍ ମାଧ୍ୟମରେ ଟ୍ରାଫିକ୍ ସୁପରିଚାଳନା କରାଯାଇଛି । ଏଥି ପାଇଁ ୫୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମେଡିକାଲ ଛକରୁ ସିଂହଦ୍ବାର ପର୍ଯନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୧୬ଟି ରାସ୍ତାକୁ ସିଲ୍ କରାଯାଇଛି।

Leave A Reply

Your email address will not be published.