ଆଜି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ। ଗୁରୁବାର ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ)। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ମହଣ ମହଣ ସୁନାରେ ସଜ୍ଜିତ ହେବେ ତିନିଠାକୁର। ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖିବା ଲାଗି ଅପେକ୍ଷା କରି ରହିଛନ୍ତି ଅଗଣତି ଭକ୍ତ।

ବଡ଼ଭାଇ ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା, ଝୋବାକଣ୍ଠି ଆଦି ପରିଧାନ କରିବେ। ଭଉଣୀ ସୁଭଦ୍ରା କିରିଟି, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀ ମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ  ଉପରେ ସୁନା ବେଶରେ ଦର୍ଶନ ଦେବେ।

ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଗୁରୁବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଗୋପାଳବଲ୍ଲଭ, ପୂର୍ବାହ୍ଣ ୧୧ଟାରୁ ୧୨ଟା ସକାଳଧୂପ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ଣଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ସାଢ଼େ ୪ଟାରେ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହେବ। ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ସୁନାବେଶ ମଇଲମ(ସୁନାବେଶ ଖୋଲାଯିବ), ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ରାତି ଗୋଟାଏରେ ରାତ୍ର ପହୁଡ଼ ହେବ ନୀତି ଅନୁଷ୍ଠିତ ହେବ। ସୁନାବେଶ ପରେ ୩୦ ତାରିଖ ଅଧରପଣା ନୀତି, ଜୁଲାଇ ୧ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବର୍ଷରେ ୪ ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ହୋଇଆସୁଛି। ଏକାଦଶୀ ଦିନ ସୁନବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତତ୍‍କାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ। ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି।

ଆଜି ସୁନାବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ଅଧରପଣା ନୀତି ଏବଂ ଶନିବାର ହେବ ନୀଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରାରେ ସମସ୍ତ ଲୀଳାଖେଳା ସାରି ବାହୁଡ଼ି ନୀଳକନ୍ଦରକୁ ବାହୁଡ଼ିବେ ତିନି ଠାକୁର। ଗତକାଲି ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ଗତକାଲି ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଥିଲେ।

Leave A Reply

Your email address will not be published.