ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି, କାଲି ନିଳାଦ୍ରୀ ବିଜେ

ପୁରୀ: ଆଜି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ। ପଣା ପ୍ରସ୍ତୁତିରେ ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀ ବ୍ୟବହୃତ ହୋଇଥାଏ।

ଦ୍ବାଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଉପରେ ହେବ ଅଧରପଣା। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବାପରେ ରଥର ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁ୍ଣ୍ଡାଙ୍କ ଲାଗି ଭଙ୍ଗାଯିବ ଅଧର ହାଣ୍ଡି। ରଥଯାତ୍ରାର ମହାପର୍ବରେ ଅଧର ପଣା ନୀତିରେ ବି ରହିଛି ସ୍ବତନ୍ତ୍ରତା। କେତେକ ଗବେଷକଙ୍କ ମତରେ ଅଧର ପଣା ପରମ୍ପରା ୪୫୦ ବର୍ଷର ପୁରାତନ। ଅତୀତରେ ଅଧର ପଣା ବାହୁଡ଼ା ଦଶମୀ ଦିନ ଅନୁଷ୍ଠିତ ହେଉଥିଲା। ସିଂହଦ୍ବାର ନିକଟରେ ରଥ ପହଞ୍ଚିବାପରେ ଅଧର ପଣା ଲାଗିହେଉଥିଲା। କିନ୍ତୁ ଏବେ ବହୁବର୍ଷ ହେବ ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଛି।

ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାଶ୍ୱଦେବାଦେବୀ, ଭୁତପ୍ରେତ ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି। ଆସନ୍ତାକାଲି ହେବ ନୀଳାଦ୍ରି ବିଜେ।

ଗତକାଲି ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ତିନି ଠାକୁର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକିଥିଲା ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି।

ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଅବଧି ବଢାଯାଇଥିଲା। ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ସୁନାବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ରାତି ୧୨ଟା ପରେ ଓଲାଗି ନୀତି ହୋଇଥିଲା।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ପହୁଡ଼ ନୀତି ସମ୍ପନ୍ନ ପରେ ଶୁକ୍ରବାର ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ, ଅପରାହ୍ଣ ଗୋଟାଏରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ପରେ ଅଧର ନୀତି ଆରମ୍ଭ ହେବ। ରାତି ୮ଟା ସୁଦ୍ଧା ତିନି ରଥରେ ଅଧରପଣା ନୀତି ଶେଷ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ, ବେଶ, ସାଢ଼େ ୧୦ଟାରେ ସଂଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ, ଚନ୍ଦନ ଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡସିଂହାର ଭୋଗ ଓ ରାତି ୨ଟାରେ ପହୁଡ଼ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.