ଆସନ୍ତା ମାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଅବସର ନେବା ପରେ ଜଷ୍ଟିସ୍ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।
କଟକ: ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ଜଷ୍ଟିସ୍ ତାଳପତ୍ରଙ୍କ ନାଁ ସୁପାରିସ୍ କଲେ ସୁପ୍ରିମକୋର୍ଟ କଲେଜିୟମ। ଆସନ୍ତାମାସ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଅବସର ନେବା ପରେ ଜଷ୍ଟିସ୍ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।
ତ୍ରିପୁରା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ୨୦୨୨ ମସିହାରେ ସୁପାରିସ କରାଯାଇଥିଲା। ଏହାପରେ ସେ ଜୁନ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସେ ଶପଥ ନେଇଥିଲେ। ସେବେଠୁ ସେ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ବେଳେ ଆସନ୍ତା ମାସ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ।
ସୂଚନାଯୋଗ୍ୟ, ବର୍ତ୍ତମାନର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ୨୦୨୧ ଜାନୁଆରି ୪ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଓ ସେ ଅଗଷ୍ଟ ମାସରେ ଅବସର ନେବେ। ତା’ ପରେ ଖାଲି ପଡ଼ିବାକୁ ଥିବା ମୁଖ୍ୟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ତାଳପତ୍ରଙ୍କ ନାମକୁ ଅନୁମୋଦନ ଦେଇଛନ୍ତି।
ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ହୋଇଥିଲେ। ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ। ସେ ମୁଖ୍ୟତଃ ଗୁଆହାଟୀ ହାଇକୋର୍ଟର ଅଗରତଲା ବେଞ୍ଚରୁ ଆଇନ୍ର ବ୍ୟବସାୟ କରିଥିଲେ। ୨୦୦୪ ମସିହା ଡିସେମ୍ବର ୨୧ ପରଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ। ୨୦୧୧, ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ୨୦୧୩ ସେପ୍ଟେମ୍ବର ୧୩ରେ ସେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୮, ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯, ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୨୨ ଜୁନ୍ ୧୦ ତାରିଖରେ ଦାୟିତ୍ବ ନେଇଥିଲେ।