ରାତି ଅଧରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ‌ରେ ଔଷଧ ଗୋଦାମରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

କାରଣ ଅସ୍ପଷ୍ଟ, ୪୫ମିନିଟ୍‌ ବିଳମ୍ବରେ ପହଞ୍ଚିଲା ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଏକ ମେଡ଼ିସିନ ଗୋଦାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ରାତି ପ୍ରାୟ ୧୧.୧୫ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଅଧଘଣ୍ଟାରେ ସବୁକିଛି ଜଳିପୋଡି ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ସମ୍ପୂର୍ଣ୍ଣ ଗୋଦାମଟି ଜଳିଯାଇଛି। ପ୍ରାୟ ୫ ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି।

ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାରେ ଏକ ମେଡ଼ିସିନ ଗୋଦାମ ଥିଲା, କୋଭିଡ ବେଳେ ଆସିଥିବା ସାମଗ୍ରୀ ମହଜୁଦ ହୋଇ ରହିଥିଲା । ଲକ୍ଷାଧିକ ଟଙ୍କାର ମାସ୍କ, ସାନିଟାଇଜର ଜଳି ପୋଡି ପାଉଁଶ ହୋଇଛି । ଅକ୍ସିଜେନ ସିଲିଣ୍ଡର ରହିଥିବାରୁ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏବେ ବି ଆୟତ୍ତକୁ ଆସିନି ନିଆଁ।  କିନ୍ତୁ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ l ପ୍ରାଥମିକ ତଦନ୍ତରୁ ଯାହା ଜଣାପଡୁଛି ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରୁଛି ଅଗ୍ନିଶମ ବାହିନୀ l ତେବେ କ’ଣ କ୍ଷତି ହୋଇଛି ନିଆଁ ଲିଭିବା ପରେ ଆକଳନ କରାଯାଇପାରିବ ବୋଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ କହୁଛନ୍ତି। ନିଆଁର ତୀବ୍ରତା ଏତେ ଥିଲା ଯେ କେହି ପାଖକୁ ଯିବା ସମ୍ଭବ ନଥିଲା। ତେବେ ଚାଉଳ ଗୋଦାମ ଜଳୁଥିବା ଖବର ପ୍ରଚାର ହୋଇଥିବାବେଳେ ଧୀରେଧୀରେ ଲୋକମାନେ ସେଠାରେ ଗହଳି କରିଥିଲେ। ବୁଝିବାରେ ଜଣାପଡ଼ିଥିଲା କରୋନା ପାଇଁ ଅକ୍ସିଜେନ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଗଚ୍ଛିତ ଥିବା ଗୋଦାମ ଜଳୁଛି । ଏ ସଂକ୍ରାନ୍ତରେ ମଞ୍ଚେଶ୍ବର ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲା । ଅଗ୍ନିକାଣ୍ଡ ଘଟିଥିବା ସ୍ଥଳରେ ଅକ୍ସିଜେନ ସିଲିଣ୍ଡର ଭର୍ତ୍ତି ଅନ୍ୟ ଏକ ଗୋଦାମ ଥିବାରୁ ଲୋକେ ଭୟଭୀତ ହୋଇ ୧୦୦-୨୦୦ମିଟର ଦୂରରେ ରହିଥିଲେ। ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀକୁ ବହୁ ସମୟ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସୁରକ୍ଷା କର୍ମୀଙ୍କ ବଳୟରେ ଏହି ଗୋଦାମ ଥିବାବେଳେ କିପରି ଅଗ୍ନିକାଣ୍ଡ ଘଟିଲା ତା’ର ତଦନ୍ତ ହେବା ଆବଶ୍ୟକ।

Leave A Reply

Your email address will not be published.