ବାଇକ ଦୁର୍ଘଟଣାରେ ଜଣେ ଯବାନ ମୃତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଚମ୍ପାଖାରୀ ନିକଟରେ ଗତ ରାତିରେ ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ରାପାଲି ଗ୍ରାମର ବିଶ୍ବନାଥ ମାଡକାମୀ।

ସୂଚନା ଅନୁଯାୟୀ, ରବିବାର ରାତି ୧୦ଟା ବେଳେ ଡିଭିଏଫ୍ ଯବାନ ବିଶ୍ବନାଥ ବାଇକରେ ଏକୁଟିଆ ଡିଉଟି କରିବା ପାଇଁ ଘରୁ ମାଲକାନଗିରିକୁ ଆସୁଥିଲେ। ଅନ୍ୟପଟୁ ଗୋଟିଏ ବାଇକରେ ମାଥିଲି ବ୍ଲକ ଅନ୍ତର୍ଗତ କାଳିପୂଜାରୀଗୁଡାର ବଳରାମ ପୂଜାରୀ, ମାଲକାନଗିରି ବ୍ଲକର ଗୁନିଆଗୁଡା ଗ୍ରାମର ସୁନ୍ଦର କୋପେ ଓ ବନ୍ଧୁଗୁଡା ଗ୍ରାମର ବଳ ପୂଜାରୀ ସୁକୁମାରୁ କାମ ସାରି ୩ଜଣ ନିଜର ଘରକୁ ଫେରୁଥିଲେ। ସେହି ସମୟରେ ଚମ୍ପାଖାରୀ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ଜଣ ରକ୍ତାକ୍ତ ହୋଇ ପଡ଼ିଥିଲେ‌। ସ୍ଥାନୀୟ ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ବିଶ୍ବନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ ବଳରାମ ପୂଜାରୀ ଓ ବଳ ପୂଜାରୀକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ସୁନ୍ଦର କୋପେ ମାଲକାନଗିରି ଠାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ମାଲକାନଗିରି ଏସଡିପିଓ ସଚିନ୍ ପଟେଲ ଓ ଥାନା ଅଧିକାରୀ ରିଗାନ କିଣ୍ଡୋ ଓ ପୁଲିସ କର୍ମଚାରୀ ପହଞ୍ଚିଛନ୍ତି।

Leave A Reply

Your email address will not be published.