ମାଲକାନଗିରି, ୧୨/୦୭/୨୩: ଜୁଲାଇ ୧୨ ତାରିଖକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୁବ ବିଭାଗ ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ମାଲକାନଗିରି ମହାବିଦ୍ୟାଳୟ ଠାରେ ଜାତୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଛନ୍ତି। ଉତ୍ତମ ପାଠ ପଢ଼ି ଦେଶ ବିକାଶରେ ସାମିଲ ହେବାକୁ ଉପସ୍ଥିତ ଯୁବପିଢୀଙ୍କୁ ସେ ଆହ୍ଵାନ କରିଛନ୍ତି । ଜିଲ୍ଲା ଯୁବ ଅଧିକାରୀ ହରିଶ ରୂପଲ୍ ଯୁବ ଉତ୍ସବ- ଭାରତ୨୦୪୭ ପାଳନ ଅବସରରେ “ପଞ୍ଚ ପ୍ରାଣ ଅଫ୍ ଅମ୍ରିତ କାଲ” ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଆଉ କହିଥିଲେ ଯେ ବିକଶିତ ଭାରତ ରାଷ୍ଟ୍ର ଗଠନ କରିବାକୁ ହେଲେ ଦ୍ଵାସତ୍ଵବାଦ ଚିନ୍ତାଧାରାକୁ ଲୋପ କରିବାକୁ ହେବ ଏବଂ ନିଜ ଅସ୍ମିତାକୁ ନେଇ ଗର୍ବ ଅନୁଭବ କରିବାକୁ ହେବ । ତତ୍ ସହିତ ବିବିଧତା ମଧ୍ୟରେ ଏକତାର ଚିନ୍ତାଧାରା ଦ୍ଵାରା ଅନୁପ୍ରାଣୀତ ହୋଇ ଜଣେ ଉତ୍ତମ ନାଗରିକ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି।
ଚଳିତ ବର୍ଷ ଜାତୀୟ ଯୁବ ଦିବସର ବିଷୟବସ୍ତୁ ହେଉଛି “ବିକଶିତ ଯୁବଗୋଷ୍ଠୀ-ବିକଶିତ ଭାରତ” । ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ୧୯୮୪ରେ ଭାରତ ସରକାର ଜାତୀୟ ଯୁବ ଦିବସ ଭାବରେ ଘୋଷଣା କରିଥିଲେ ଏବଂ ପ୍ରତିବର୍ଷ ୧୯୮୫ରୁ ଏହାକୁ ଦେଶରେ ପାଳନ କରାଯାଉଅଛି। ଏହି ଅବସରରେ ବକ୍ତା ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ, ମନସ୍ଵି ସେଠୀ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ, ପ୍ରଭାସ ସେଠୀ, ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରାଧ୍ୟାପକ ଲିଙ୍ଗରାଜ ମିଶ୍ର,
ସମ୍ମାନୀତ ଅତିଥି ଭାବେ ଅର୍ଥଶାସ୍ତ୍ର ବିଭାଗ ପ୍ରାଧ୍ୟାପକ, ଆଶୋକ କୁମାର ଷଡଙ୍ଗୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ରେଡକ୍ରସ ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ପରିଚଳନା କରିଥିଲେ। ଏହି ଅବସରରେ ତର୍କ, ଚିତ୍ରାଙ୍କନ, ଫୋଟଗ୍ରାଫି ଏବଂ କବିତା ପାଠ ବିଷୟରେ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୨୫୦ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନେହେରୁ ଯୁବକେନ୍ଦ୍ର ସ୍ବେଚ୍ଛାସେବୀ, ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା , ଯୁବ ରେଡକ୍ରସ ସମେତ ଅନ୍ୟାନ୍ୟ ପୂର୍ବତନ ଛାତ୍ରଛାତ୍ରୀ ସହଯୋଗର ହାତ ବଢ଼ାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା, ନମିତା ଦଣ୍ଡସେନା ଓ ଦୂତୀଆ ବାଞ୍ଚର ଉପସ୍ଥିତ ଥିଲେ । ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ, ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.