ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟବୀମା ପରିମାଣକୁ ୨ଲକ୍ଷ ଟଙ୍କାରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକୃତ ହେବେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ୨୦୧୮ ଜୁନ୍ ମାସରୁ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଛି । ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ସ୍ୱାସ୍ଥ୍ୟବୀମା ରାଶି ୫ଲକ୍ଷ ଟଙ୍କାକୁ ବୃଦ୍ଧି ନିମନ୍ତେ ଘୋଷଣା କରିଛନ୍ତି ।

ଗତ କିଛିଦିନ ତଳେ ରାଜ୍ୟ ସରକାର ଏହି ବୀମା ପାଇଁ ଏକ ସ୍ୱତନ୍ତ୍ର ୱେବପୋର୍ଟାଲ ଉନ୍ମୋଚନ କରିଥିଲେ, ଯେଉଁଥିରେ ସାମ୍ବାଦିକମାନେ ଅନଲାଇନରେ ଆବେଦନ କରିବାର ସୁଯୋଗ ରହିଛି ।

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା। ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।

Leave A Reply

Your email address will not be published.