ମଣିପୁରରେ ଦୁଇଜଣ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରିବା ଭିଡିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ। ଏପରି ଘଟଣାକୁ ନିନ୍ଦା କରିବା ସହ ଏହା ସମାଜ ପାଇଁ ଲଜ୍ଜାଜନକ ବୋଲି କହିଛନ୍ତି।
ନୂଆଦିଲ୍ଲୀ: ମୁଁ ଖୁବ୍ ଦୁଃଖିତ, ଏ ଭଳି ଘଟଣା ଯେକୌଣସି ସଭ୍ୟ ସମାଜ ପ୍ରତି ଲଜ୍ଜାଜନକ ବୋଲି ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଯାଇଥିବା ଭିଡିଓ ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ କରି ଆଜି ସଂସଦର ମୌସୁମୀ ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ। ନାରୀ ସୁରକ୍ଷା ପାଇଁ ଆମେ ରାଜନୀତିକୁ ପ୍ରଶ୍ରୟ ଦେବା ଅନୁଚିତ।
ଦେଶବାସୀଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି, କୌଣସି ଦୋଷୀ ତ୍ରାହି ପାଇବେ ନାହିଁ। ସମସ୍ତ ସାମର୍ଥ୍ୟ ଲଗାଇ ଆଇନ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ମଣିପୁରୀ କନ୍ୟାମାନଙ୍କ ପ୍ରତି ହୋଇଥିବା ଭ୍ୟବିଚାର କ୍ଷମଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେ କହିଛନ୍ତି, ରାଜସ୍ଥାନ ହେଉ, ମଣିପୁର ହେଉ ଅଥବା ଛତିଶଗଡ଼ ହେଉ, ନାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି। ନାରୀ ସୁରକ୍ଷା ନିମନ୍ତେ ଆମେ ରାଜନୀତି କରିବା ଅନୁଚିତ।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଦଳେ ବ୍ୟକ୍ତି ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି।
ମେ ୪ ତାରିଖ ଦିନ ମଣିପୁରର ରାଜଧାନୀ ଇମ୍ଫାଲ୍ଠାରୁ ପ୍ରାୟ ୩୫ କିଲୋମିଟର୍ ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଉପରୋକ୍ତ ଘଟଣା ଘଟିଥିବା କଥା ‘ଇଣ୍ଡିଜେନସ୍ ଟ୍ରାଇବାଲ୍ ଲିଡର୍ସ ଫୋରମ୍’ (ଆଇଟିଏଲ୍ଏଫ୍) ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।
ପୁଲିସ କହିବା ଅନୁସାରେ, ଘଟଣାଟି ଅନ୍ୟ ଜିଲ୍ଲାରେ ଘଟିଛି, କିନ୍ତୁ କାଙ୍ଗ୍ପୋକ୍ପି ଜିଲ୍ଲାରେ ‘ଏଫ୍ଆଇଆର୍’ ପଞ୍ଜୀକୃତ କରାଯାଇଛି।