‘ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ; ବ୍ୟକ୍ତି ବଦଳିଲେ ପରିବାର ବଦଳିବ’: ରାଷ୍ଟ୍ରପତି

ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୧୦ଟି ଜନଜାତିର ୫୦ ଜଣି ପ୍ରତିନିଧିକୁ ଭେଟିଥିଲେ।

ଭୁବନେଶ୍ୱର: ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ। ବ୍ୟକ୍ତି ବଦଳିଲେ ପରିବାର ବଦଳିବ। ଆଉ ପରିବାର ବଦଳିଲେ ସମାଜ ବଦଳିବ। ତିନି ଦିନିଆ ଗସ୍ତର ଅନ୍ତିମ ଦିନରେ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସରେ ଶିଳାନ୍ୟାସ ଉତ୍ସବରେ ଯୋଗଦେଇଥିଲେ ମହାମହିମ। ‘ଦି ଇୟର ଅଫ୍‌ ପଜିଟିଭ୍‌ ଚେଞ୍ଜ ଥିମ୍‌’ ଲଞ୍ଚ କରିବା ସହ ଲୋକଙ୍କୁ ସମ୍ବୋଧନ କରି ମହାମହିମ କହିଥିଲେ, ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୁଏ। ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା। ଏହାଛଡ଼ା ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ସେ ବଖାଣିଥିଲେ। ଏହା ପୂର୍ବରୁ ମହାମହିମ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ।

ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୧୦ଟି ଜନଜାତିର ୫୦ ଜଣି ପ୍ରତିନିଧିକୁ ଭେଟିଥିଲେ। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବିଷୟରେ ଗୋଟି ଗୋଟି କରି ପଚାରି ବୁଝିଥିଲେ ରାଷ୍ଟ୍ରପତି।

Leave A Reply

Your email address will not be published.