ଓ-ଚିପ୍ କାର୍ଯ୍ୟକ୍ରମକୁ ପରାମର୍ଶ ଦେବେ ସିଲିକନ ଭ୍ୟାଲି ବିଶେଷଜ୍ଞ, ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ କାର୍ଯ୍ୟକ୍ରମ
ଭୁବନେଶ୍ବର: ବିଶ୍ବର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଅଟୋମେସନ (ଇଡିଏ) କମ୍ପାନି ସିନୋପ୍ସିସ ଭୁବନେଶ୍ବରରେ ଏହାର ଏକ ସେଣ୍ଟର ସ୍ଥାପନ କରିବ। ବିଶ୍ବରେ ୨୫ଟିରୁ ଅଧିକ ଦେଶରେ ବ୍ୟବସାୟିକ ଉପସ୍ଥିତି ଥିବା ଏହି କମ୍ପାନି ଭୁବନେଶ୍ବରରେ ସେଣ୍ଟର ସ୍ଥାପନ ନେଇ ଆନୁଷ୍ଠାନିକ ଘୋଷଣା କରିଛି। ପର୍ଯ୍ୟାୟକ୍ରମେ ଏଠାରେ ୩୦୦ ଚିପ୍ ଡିଜାଇନ ଇଞ୍ଜିନିୟର କାର୍ଯ୍ୟ କରିବେ। ଏଥିରେ ସିନୋପ୍ସିସ୍ ଟିମ୍ର ହାର୍ଡୱେର ଆନାଲିଟିକ୍ସ ଆଣ୍ଡ୍ ଟେଷ୍ଟ୍ (ଏଚଏଟି) ଏବଂ ହାର୍ଡୱେର ଡେଭଲପମେଣ୍ଟ ଗ୍ରୁପ (ଏଚଡିଜି), ଏଚଡିଜି ଆନାଲଗ ଏବଂ ଏଚଡିଜି ଡିଜାଇନ ଓ ଭେରିଫିକେସନ ଆଦି କ୍ଷେତ୍ରର ଇଞ୍ଜିନିୟର ରହିବେ।
ଆମେରିକା ଗସ୍ତରେ ଥିବା ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ କମ୍ପାନିର ବରିଷ୍ଠ ଉପସଭାପତି ଅମିତ ସାଂଘାନି, ଉପସଭାପତି ଅଭିଜିତ ଚକ୍ରବର୍ତ୍ତୀଙ୍କ ସହିତ ଆଲୋଚନା କରିଥିଲେ। ରାଜ୍ୟରେ ସେମିକଣ୍ଡକ୍ଟର ପରିବେଶ ସୃଷ୍ଟି ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟର ସେମିକଣ୍ଡକ୍ଟର ନୀତି ଏବଂ ଫାବଲେସ୍ ନୀତିକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିବା ସଂପର୍କରେ ସୂଚନା ଦିଆଯାଇଥିଲା। ଓଡ଼ିଶାରେ ନୂଆ ପିଢ଼ିର ସିଲିକନ ଭାଲି ସ୍ଥାପନ ଲକ୍ଷ୍ୟରେ ଓ-ଚିପ୍ ପଦକ୍ଷେପ ହାତକୁ ନିଆଯାଇଛି।
ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକି ପକ୍ଷରୁ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ରାଜ୍ୟର ପ୍ରତିନିଧିମଣ୍ଡଳୀ ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶାର ରୂପାନ୍ତରଣ ସଂପର୍କରେ କାଲିଫର୍ଣ୍ଣିଆର ବେ ଏରିଆରେ ସୂଚନା ପ୍ରଦାନ କରିଥିଲେ। ପ୍ରାୟ ୯୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ।