ଚିଟଫଣ୍ଡ କ୍ଷତିଗ୍ରସ୍ତ ଅବିଳମ୍ବେ ଟଙ୍କା ଫେରସ୍ତ ପାଇଁ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ମିଳିତ ମଞ୍ଚ ପକ୍ଷରୁ ଦାବି ପତ୍ର ପ୍ରଦାନ

ଭୁବନେଶ୍ୱର, ୦୧/୦୭/୨୦୨୩: ଓଡ଼ିଶାରେ ଶହ ସହ ଅସାଧୁ କମ୍ପାନୀ ସରକାରଙ୍କ ପ୍ରୋତ୍ସାହନରେ ୬୦ ଲକ୍ଷରୁ ଅଧିକ ପରିବାରର ସଂଚୟ ଅର୍ଥକୁ ନେଇ ପରିପକ୍ଵ ରାଶି ଫେରସ୍ତ ନ ଦେଇ ଉଭାନ ହୋଇଯାଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓପିଡା ଆଇନ ୨୦୧୧ ଓ ବଡ଼ସ ଆଇନ ୨୦୧୯ ରେ ଅସାଧୁ ସଂସ୍ଥାମାନଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ କରି ଖୋଲା ବଜାରରେ ପ୍ରଚାର ପୂର୍ବକ ନିଲାମ କରି ନିଲାମ ଲବ୍ଧ ଅର୍ଥ ଜମାକାରୀଙ୍କ ଫେରସ୍ତ ପାଇଁ ବିଧି ଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଅସାଧୁ କମ୍ପାନୀଙ୍କ ବିରୋଧରେ ମକଦ୍ଦମା ପଞ୍ଜିକରଣ, ତଦନ୍ତ, ସମ୍ପତି ଜବତ, ଅଥବା ସମ୍ପତ୍ତିକୁ ଖୋଲା ବଜାରରେ ନିଲାମ ନ କରି ଜମାକାରୀଙ୍କୁ ପ୍ରତାରିତ କରିଛନ୍ତି । ଏହି ପୃଷ୍ଠଭୂମିରେ ଏକ ଜନସ୍ୱାର୍ଥ ମମାଳା ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର, କେନ୍ଦ୍ର ସରକାର, ଇ.ଡି. ସି.ବି.ଆଇ.ଇ., କ୍ରାଇମବ୍ରାଞ୍ଚ, କେନ୍ଦ୍ର ସମବୟ ମନ୍ତ୍ରାଳୟ, କର୍ପୋରେଟ ମନ୍ତ୍ରାଳୟ ଇତ୍ୟାଦିକୁ କଡା ଭର୍ତ୍ସନା ସହ ଜମାକାରୀଙ୍କୁ ତୁରନ୍ତ ତାଙ୍କ ଫେରସ୍ତ ବ୍ୟବସ୍ତା କରିବାକୁ ନିର୍ଦେଶ ଦେଇଥିଲେ । ଏହାପରେ ୨୯ ମାର୍ଚ୍ଚ ୨୦୨୩ରେ ସାହାରା ସଂସ୍ଥାର ଜମାକାରୀଙ୍କୁ ତାଙ୍କ ଫେରସ୍ତ ପାଇଁ ସେବି ନିକଟରେ ଥିବା ୨୪ ହଜାର କୋଟି ଟଙ୍କାରୁ ମାତ୍ର ୫ ହଜାର କୋଟି ତାଙ୍କ ନେଇ ସାହାରା ଜମାକାରୀଙ୍କୁ ଟଙ୍କା ଫେରସ୍ତ ବ୍ୟବସ୍ତା କରିବାକୁ ନିର୍ଦେଶ ଦେଇଛନ୍ତି । ଏହାପରେ କେନ୍ଦ୍ରୀୟ ସମବାୟ ରେଜିଷ୍ଟରଙ୍କ ପକ୍ଷରୁ ସି.ଆର.ସି- ସାହାରା ରିଫଣ୍ଡ ୱେବପୋର୍ଟାଲ ଉନ୍ମୋଚନ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ କ୍ଲେମ ଆବେଦନ ଆହ୍ଵାନ କଲେ । କିନ୍ତୁ ଏହି ୱେବ ପୋର୍ଟାଲ ଜରିଆରେ ଅଂଜ୍ଞ ଓ ଗରିବ ଜମାକାରୀ ଏହାର ସୁଯୋଗ ନେଇପାରୁନାହାନ୍ତି । ପୁଣି ୱେବପୋର୍ଟାଲ ଉନ୍ମୋଚନ ବେଳେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଅଧିକାଂଶ ଜମାକାରୀଙ୍କୁ ନିରାଶ କରିଛି । ଏହା ବଡ଼ସ ଆଇନ ଓ ଓପିଡା ଆଇନର ପରିପନ୍ଥୀ, ଅଂଜ୍ଞ ଓ ଗରିବ ଜମାକାରୀଙ୍କ ସ୍ୱାର୍ଥ ବିରୋଧୀ ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ଅବମାନନା ହେଇଥିବାରୁ ଅବିଳମ୍ବେ ବଡ଼ସ ଆଇନ ଭିତ୍ତିରେ ଏହାର ସଂଶୋଧନ କରାଯାଇ ଜିଲ୍ଲାସ୍ତରୀୟ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଜମାକାରୀଙ୍କୁ ଅଫଲାଇନରେ ଚିହ୍ନଟ ବ୍ୟବସ୍ତା କରିବାକୁ ଦାବି କରାଯାଇଛି । ସାହାରା ବ୍ୟତୀତ ଅନ୍ୟାନ୍ୟ ୫୦୦ରୁ ଅଧିକ ସଂସ୍ଥାର ସମ୍ପତି ଜବତ, ଖୋଲା ବଜାରରେ ନିଲାମ କରି ଏହି ଅର୍ଥ ଜମାକାରୀଙ୍କୁ ସୁଧ ସହ ଫେରସ୍ତ କରିବାକୁ ମଧ୍ୟ ଦାବି କରାଯାଇଛି । ଏହି ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଅବିଳମ୍ବେ ତ୍ୱରାନ୍ନିତ କଲେ, ଟଙ୍କା ଫେରସ୍ତ ପାଇଁ ସହାୟକ ହେବ ବୋଲି କୁହାଯାଇଛି । ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ, ସାଧାରଣ ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଯୁଗ୍ମ ଆବାହିକା ଅନୁରାଧା ସୁବୁଦ୍ଧି, ସାହାରା ଜମାକାରୀ ମଞ୍ଚର ସଭାପତି ବିଜୟ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ସଂଜୀବ କୁମାର ପଣ୍ଡା ପ୍ରମୁଖ ଓଡିଶା ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ଓ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଉପସ୍ଥାପନା କରିଛନ୍ତି ।

Leave A Reply

Your email address will not be published.