ସୋମବାର ଝଡବାତ୍ୟା ଓ ପ୍ରବଳବର୍ଷା ପରିବେଶ ପରିବର୍ତନର କାରଣ: ସିଇସି

ଭୁବନେଶ୍ୱର, ୦୧/୦୮: ଭୁବନେଶ୍ୱର ସହରରେ ଗତକାଲି ଘଟିଥିବା ଝଡବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତନକୁ ନିର୍ଦ୍ଦେଶ କରେ ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି) ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି ।

ଗତକାଲି ଏହି ଝଡବାତ୍ୟା ଅପରାହ୍ନ ୨ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଚାଲିଥିଲା ଓ ସହରର ଅନେକ ଅଂଚଳ କଳାର୍ଣ୍ଣବ କରି ଦେଇଥିଲା ।

ଡକ୍ଟର ସାହୁ କହିଥିଲେ ଯେ ସିଇସିରେ ଉପଲବ୍ଧ ଓବଜର୍ଭେଟରୀରେ ଏହି ସାଢେ ପାଂଚ ଘଂଟା ସମୟ ମଧ୍ୟରେ ୨୫୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ଅନ୍ୟ ଅଂଚଳରେ ଏହାଠାରୁ ଅଧିକ ବର୍ଷା ହୋଇଥାଇପାରେ ବୋଲି ସେ କହିଥିଲେ ।

ଯଦିଓ ପୂର୍ବରୁ ଭୁବନେଶ୍ୱର ସହରରେ ଏହାସଙ୍ଗେ ଏହାଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ରହିଛି ଏହା ୨୪ ଘଂଟା ବା ତା’ଠାରୁ ଅଧିକ ସମୟରେ ରେକର୍ଡ କରାଯାଇଥିଲା । ଜୁଲାଇ ୩୦, ୧୯୬୯ରେ ସହରରେ ୨୮୨.୩ ମିଲିମିଟର, ଜୁନ୍ ୨୨, ୧୯୭୧ରେ ୨୭୭.୮ ମିଲିମିଟର ଓ ଅଗଷ୍ଟ ୨୦, ୧୯୯୭ରେ ୨୫୪.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ରହିଛି ମାତ୍ର ଏହା ଅଧିକ ସମୟରେ ହୋଇଥିଲା ବୋଲି ସେ କହିଥିଲେ ।

ଅକ୍ଟୋବର ୩୦, ୧୯୯୯ ଦିନ ମହାବାତ୍ୟା ପ୍ରବାହିତ ହେଉଥିବା ସମୟରେ ଭୁବନେଶ୍ୱରରେ ରେକର୍ଡ ୪୨୬.୪ ମିଲିମିଟର ବର୍ଷା ହୋଇଥିଲା ।

ଡକ୍ଟର ସାହୁ କହିଥିଲେ ଯେ ଆଜି ଉତର- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତର ପଶ୍ଚିମ ଦିଗରେ ଗତି କରି ଆଜି ରାତିରେ ବଙ୍ଗଳାଦେଶ ମଧ୍ୟରେ ପ୍ରବେଶ କରିବ ଓ ପରବର୍ତୀ ସମୟରେ ଏହୌା ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବାର ସମ୍ଭାବନା ଅଛି ।

ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ମୟୂରଭଞ୍ଜ, କେନ୍ଦୁଝର , ବାଲେଶ୍ୱର, ଭଦ୍ରକ , ଯାଜପୁର, ଖୋର୍ଦ୍ଧା, କଟକ, ନୟାଗଡ, ଅନୁଗୁଳ, ଢେଙ୍କାନାଳ ଓ ଦେଓଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅଗଷ୍ଟ ୨ ଓ ୪ ମଧ୍ୟରେ ଦେଓଗଡ, ଅନୁଗୁଳ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ସୋନପୁର, ,ବୌଦ୍ଧ, ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ଗୁଡିକରେ ମଧ୍ୟ ଭୀଷଣ ବର୍ଷା ହୋଇପାରେ ।

ଏହି ବର୍ଷା ଆସନ୍ତା ତିନିଦିନ ଧରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡ ଏବଂ ମହାନଦୀର ଉଭୟ ଉପର ଓ ତଳ ମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡକ୍ଟର ସାହୁ କହିଛନ୍ତି ।

ଏହା ଛଡା ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଉପର ମୁଣ୍ଡରେ ବର୍ଷାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.