ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ଅଭିଯୋଗ, ସତ୍ୟତା ପାଇଁ ତଦନ୍ତ ଆରମ୍ଭ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ

ମାଲକାନଗିରି, ୧୧।୮: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମରେ ଥିବା ଦିବ୍ୟାଙ୍ଗ ଯୁବକ ଗଙ୍ଗା ଦୁରୁଆଙ୍କ ସହ କିଛି ଏପରି ଘଟଣା ଘଟିଥିବା ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ନିଜ ବିଧବା ମା ଚମ୍ପା ଦୁରୁଆଙ୍କ ସହ ପୁଅ ଗଙ୍ଗା ବସବାସ କରୁଥିବା ବେଳେ ସ୍ୱାମୀଙ୍କର ମୃତ୍ୟୁ ପରେ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆ ହିଁ ଚମ୍ପାଙ୍କର ସବୁ କିଛି ଥିଲା । ଏହି ବାପ ଛେଉଣ୍ଡ ଦିବ୍ୟାଙ୍ଗ ପୁଅ ଗଙ୍ଗା ଦୁରୁଆଙ୍କ ସରଳତାର ସୁଯୋଗ ନେଇ କିଛି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବା ବର୍ତ୍ତମାନ ଅଭିଯୋଗ ହୋଇଛି । ସାଂଘାତିକ କଥା ହେଉଛି ଅବିବାହିତ ଗଙ୍ଗାକୁ କାଗଜ ପତ୍ରରେ ବିବାହିତ ଦର୍ଶାଇ ଅସ୍ତ୍ରୋପଚାର କରାଯାଇଛି । କେବଳ ପରିବାର ନିୟୋଜନ ଅସ୍ତ୍ରୋପଚାର ସଂଖ୍ୟା ବଢାଇବାକୁ ଯାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ନିରୀହ ଆଦିବାସୀ ପରିବାରର ବଂଶ ବୁଡାଇ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅସ୍ତ୍ରୋପଚାର ପରେ କିଛି ଔଷଧ ଓ ୨ ହଜାର ଟଙ୍କା ଦେଇ ଗଙ୍ଗା ଦୁରୁଆଙ୍କୁ ଘରକୁ ପଠାଇ ଦେଇଥିଲେ । ଏହାକୁ ତୀବ୍ର ବିରୋଧ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳର ଲୋକେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ତଦନ୍ତ ପାଇଁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏଡିଏମ ଧନେଶ୍ୱର ମହାପତ୍ର ମଧ୍ୟ ଘଟଣାସ୍ଥଳକୁ ଆସିଛନ୍ତି। ତାହା ସହିତ ଉଚ୍ଚସ୍ତରୀୟ ତଦନ୍ତ ଓ ସମ୍ପୃକ୍ତ ଆଦିବାସୀ ଦିବ୍ୟାଙ୍ଗଙ୍କୁ କିପରି ନ୍ୟାୟ ମିଳିବ ସେଥିପାଇଁ ଆଇନ ଗତ ହିସାବରେ ଲେଢେଇ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏପରି ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ପ୍ରକାଶ କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳର ଆସାଙ୍କ ଜରିଆରେ ଉକ୍ତ ଯୁବକ ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରପୋଚାର ପାଇଁ ଆସିଥିଲେ । ତାଙ୍କର ସମସ୍ତ ପ୍ରକାରର ତଥ୍ୟ ସଂଗ୍ରହ କରାଯିବା ସହ ତାଙ୍କର ଦୁଇଟି ଛୁଆ ରହିଥିବା ସେ ପ୍ରକାଶ କରିଥିଲେ । ଏନେଇ ପ୍ରକୃତ ସତ୍ୟତା ଜାଣିବାକୁ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଶ୍ରୀ ନନ୍ଦ ପ୍ରକାଶ ଅକରିଛନ୍ତି । ଅନ୍ୟପଟେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ,କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା,ଜି ଶ୍ରୀନିବାସ ରାଓ ଦାବି ଜଣାଇଛନ୍ତି ।

Leave A Reply

Your email address will not be published.