୭୭ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ

ମାଲକାନଗିରି, ୧୬/୦୮/୨୦୨୩: ଡିଏନକେ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୭ତମ ସ୍ବାଧିନତା ଦିବସରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା ଓ ସ୍ଵରାଷ୍ଟ୍ର ମନ୍ତ୍ରୀ, ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧନ କରିଥିଲେ। ଅଭିବାଦନ ମଞ୍ଚରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଶ୍ରୀ ନୀତେଶ ୱାଧ୍ଵୱାନୀ ଉପସ୍ଥିତ ଥିଲେ।ଭାରତର ମୁକ୍ତି ଆନ୍ଦୋଳନରେ ମାଲକାନଗିରି ଜିଲ୍ଲାର ଅବଦାନ ଅତୁଳନୀୟ। ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଯୋଗୁଁ ଭାରତ ସ୍ଵାଧୀନ ହେବାର ସ୍ବପ୍ନ ସାକାର ହୋଇପାରିଥିଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ସ୍ଵାଧୀନତା ସଂଗ୍ରାମରେ ତାମ୍ମା ଦୋରାଙ୍କ ବଳିଦାନକୁ ମନେ ପକାଇ ଏହି ମାଟି ରେ ଜନ୍ମ ଗ୍ରହଣ କରିଥିବା ସମସ୍ତ ସଂଗ୍ରାମୀଙ୍କୁ ସେ ଶ୍ରଦ୍ଧାଂଜଳି ଜଣାଇଥିଲେ।

ଗ୍ରାମୀଣ ବିକାଶ, କୃଷିର ଉନ୍ନତି, ଶିଳ୍ପର ବିକାଶ, ଶିକ୍ଷାର ଉନ୍ନତି, ସହରାଞ୍ଚଳର ଉନ୍ନତି ଓ ଅର୍ଥନୈତିକ ଅଭିବୃଦ୍ଧି ସହ କ୍ରୀଡା, ସୂଚନା ପ୍ରଯୁକ୍ତି, ସ୍ଵାସ୍ଥ୍ୟ ସେବା, ମହିଳା ସଶକ୍ତିକରଣ ଲାଗି ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କ୍ରୀଡାକୁ ପ୍ରାଧାନ୍ୟ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ କ୍ରୀଡା ବଜେଟକୁ ୧୨୧୭ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଡେଲୟେଟ, ଆଇବିଏମ, ହାପିଷ୍ଟ ମାଇଣ୍ଡ, ପିଡବ୍ଲୁସି, କନ୍ସେନ୍ଟ୍ରିକ୍ସ , ଇନ୍ଚ୍ୟୁଟର, ଟେଟ୍ରାସଫ୍ଟ ଆଦି ଅନେକ ବଡ ବଡ କଂପାନୀ ଓଡିଶାରେ ପୁଞ୍ଜିନିବେଶ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ୭ ହଜାର ମୋ ସେବା କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ଖୁବ୍ ଶୀଘ୍ର ଏହା ୮ ହଜାରକୁ ବୃଦ୍ଧି ପାଇବ। ଏଥି ସହିତ ୨୦୨୧ରେ ଶୁଭାରମ୍ଭ ହୋଇଥିବା ଓଡିଶା ୱାନ ପୋର୍ଟାଲରେ ବର୍ତ୍ତମାନ ୪୫୦ରୁ ଅଧିକ ସେବା ଉପଲବ୍ଧ ହେଉଛି ।ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ୭୭ତମ ସ୍ଵାଧୀନତା ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଉପରୋକ୍ତ ମତବ୍ୟକ୍ତ କରିଥିଲେ।

ବିକାଶର ସ୍ଵାଦ ଉପଲବ୍ଧ କରାଇବା ପାଇଁ ସ୍ଵାଭିମାନ ଅଞ୍ଚଳର ୧୯ ଟି ପଞ୍ଚାୟତକୁ ସେତୁ ଯୋଜନାରେ ସାମିଲ କରାଯାଇଛି । ଏଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ୫୦ କୋଟି ରୁ ୧୦୦ କୋଟି ଟଙ୍କା ବଜେଟ ବୃଦ୍ଧି କରିଛନ୍ତି। ମାଲକାନଗିରି ଜିଲ୍ଲାର ଅପହଞ୍ଚ ଅଞ୍ଚଳର ଜନସାଧାରଣ ସୁବିଧାରେ ଯାତାୟତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୧ ଟି ସଡ଼କ ପାଇଁ ୧୫୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅନୁଦାନରେ ୧୭୨. ୫୩ କିଲୋମିଟର ରାସ୍ତା ନିର୍ମାଣ ହେବ। ଏହି ସମସ୍ତ ରାସ୍ତା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା – ଦୁର୍ଗମ ଅଞ୍ଚଳର ଅପହଞ୍ଚ ଗ୍ରାମ ଗୁଡିକରେ ଯୋଗାଯୋଗ ( ଏମ୍ ଏମ୍ ଏସ୍ ୱାଇ – ସିୟୁଭିଡ଼ିଏ) ଅଧିନରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ।

ସେହିପରି ଆମ ପୋଖରୀ ଯୋଜନାରେ ମାଲକାନଗିରି ଜିଲ୍ଲାର ୩୮. ୨୨ ଏକର ପରିବ୍ୟାପ୍ତ ବିରାଟ ବାଲିସାଗର ବନ୍ଧର ପୁନଃରୁଦ୍ଧାର ନିମନ୍ତେ ଗୃହ ଏବଂ ନଗର ଉନ୍ନୟନ ବିଭାଗ ୪ କୋଟି ୧୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଲାକ୍ମୀ ଯୋଜନାର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ବାରା ଗ୍ରାମ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ଏବଂ ଜିଲ୍ଲାରୁ ଭୁବନେଶ୍ୱର – ପୁରୀ ପର୍ଯ୍ୟନ୍ତ ଗମନାଗମନ ନିମନ୍ତେ ସରକାରୀ ବସ୍ ଚଳାଚଳ କରିବ। ସେହିପରି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୭୫ ଗୋଟି ମନ୍ଦିର ଏବଂ ପୀଠର ଉନ୍ନତିକରଣ ନିମନ୍ତେ ୧୪ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ମାନ୍ୟମକଣ୍ଡା ଗୁମ୍ଫାର ଉନ୍ନୟନ ନିମନ୍ତେ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପର୍ଯ୍ୟଟନ କ୍ଷେତ୍ର ଭିତ୍ତିଭୂମି ବିକାଶ ପାଇଁ ୭ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ବାରା ମଲ୍ଲିକେଶ୍ୱର ଶୈବପୀଠ, ହନ୍ତାଲଗୁଡା, ସତୀଗୁଡା, ଗୁରୁପ୍ରିୟା ସେତୁ ନିକଟରେ ସୌନ୍ଦର୍ଯ୍ୟକରଣ, ଗାଙ୍ଗରାଜଗୁମ୍ମା, ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ପାର୍କ ଓ ସୀତାକୁଣ୍ଡର ବିକାଶ ହେବ। ସେତୁ ଯୋଜନାରେ ବିଏସଏଫ୍ କ୍ୟାମ୍ପର ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ୯ କୋଟି ୭୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।ସ୍ଵାଭିମାନ ଅଞ୍ଚଳର ଜୈବିକ ହଳଦୀ ବିଶ୍ବ ଦରବାରରେ ଆଦୃତି ଲାଭ କଲାଣି। ତେଣୁ ମିଶନ ଶକ୍ତି ଅଧୀନରେ ହଳଦୀ ପ୍ରକ୍ରିୟାକରଣ ୟୁନିଟ ପାଇଁ ୨ କୋଟି ୨୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଓଡିଶା ସରକାର, ରାଜ୍ୟ ପୋଲିସ ଓ ଜିଲ୍ଲାବାସୀଙ୍କ ସହଯୋଗରେ ଜିଲ୍ଲାରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି। ଜିଲ୍ଲା ଓ ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧକୁ ରୋକିବା ପାଇଁ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି। ସାଇବର ଅପରାଧକୁ ରୋକିବା ପାଇଁ ସାଇବର ଥାନା ପ୍ରତିଷ୍ଠା ସହ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯାଉଅଛି ବୋଲି ମନ୍ତ୍ରୀ କହିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଡିଏନକେ ଖେଳ ପଡିଆ ନିକଟସ୍ଥ ବେଙ୍ଗଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରବେଶ ଦ୍ଵାରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ତ୍ରିନାଥ ମାଝୀ ଓ ଉପଜିଲ୍ଲାପାଳ, ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ଵାଗତ କରିବା ସହ ଅଭିବାଦନ ମଞ୍ଚକୁ ପାଛୋଟି ନେଇଥିଲେ।

ପୋଲିସ ସରଜେଣ୍ଟ, ଶ୍ରୀ ଜ୍ୟୋତି କୁମାର କୀରୋ ସ୍ଵାଧୀନତା ଦିବସ ପ୍ୟାରେଡ଼ରେ ସାମିଲ ହୋଇଥିବା ୨୯ ଗୋଟି ଦଳର ନେତୃତ୍ୱ ନେଇଥିଲେ ଏବଂ ସେକେଣ୍ଡ ଇନ୍ କମାଣ୍ଡ ଭାବେ ଶ୍ରୀ ତ୍ରିଲୋଚନ ସେଠୀ ସହଯୋଗ କରିଥିଲେ। ପ୍ୟାରେଡର ମୂଲ୍ୟାଙ୍କନ ନିମନ୍ତେ ବିଏସଏଫ ଡେପୁଟି କମାଣ୍ଡଣ୍ଟ, ଶ୍ରୀ ଶୁଭଞ୍ଜନ ମହାପାତ୍ର, ଓଏସଏପି ୪ର୍ଥ ଏସଏସବିଏନ ବାଟାଲିୟନ ଡେପୁଟି କମାଣ୍ଡଣ୍ଟ, ଶ୍ରୀ ସରୋଜ କୁମାର ଜେନା ଓ ଡେପୁଟି ଏସ ପି, ଦିନେଶ ନାଏକ ଉପସ୍ଥିତ ଥିଲେ।ଏହି ଅବସରରେ ମାଲକାନଗିରି ବିଧାୟକ, ଶ୍ରୀ ଆଦିତ୍ୟ ମାଢି, ଜିଲ୍ଲା ପରିଷଦ, ଅଧ୍ୟକ୍ଷା, ଶ୍ରୀମତୀ ସମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଶ୍ରୀ ପତିତପାବନ ବୈଦ୍ୟଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।ସର୍ବ ପ୍ରଥମେ ପୂର୍ବାହ୍ନରେ ମନ୍ତ୍ରୀ ବେହେରା ସର୍କିଟ ହାଉସ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ ଏବଂ ପ୍ୟାରେଡ କାର୍ଯ୍ୟକ୍ରମ ପରେ ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନରେ ଯାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜନ ମହାନ୍ତି, ହରେକୃଷ୍ଣ କୀର୍ତ୍ତନିଆ ଓ ସରୋଜ ପଟ୍ଟନାୟକ ସହଯୋଗ କରିଥିଲେ।

Leave A Reply

Your email address will not be published.