ବନ ବିଭାଗ ଦ୍ଵାରା ବେଆଇନ କାଠ ଉଦ୍ଧାର

ମାଲକାନଗିରି: ବିଶେଷ ସୂତ୍ରରୁ ଖବର ପାଇଁ ବାଲିମେଳା ବନାଞ୍ଚଳ ତରଫରୁ ବାଲିମେଳା ସହର ମଧ୍ୟସ୍ଥ ମନ୍ଦିର ତଳ ଲାଇନ (ୱାର୍ଡ ନଂ: ୦୯) ଠାରେ ଶ୍ରୀ ମୋହିଦ୍ଦିନ ଶରିଫ୍, ବୟସ- ୫୦ ବାସଗୃହରେ ଏକ ରେଡ଼ କରାଯାଇଥିଲା । ବନଖଣ୍ଡ ଅଧିକାରୀ, ମାଳାକାନଗିରି ଶ୍ରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ, ବାଲିମେଳା ଶ୍ରୀ ଜଗନ୍ନାଥ ପ୍ରସାଦ ବିଷୋୟିଙ୍କ ନେତୃତ୍ଵରେ ବାଲିମେଳା ବନାଞ୍ଚଳ ୩୭ ଜଣିଆ ଟିମ ଏବଂ ଏକ୍ଜିକୁଟିଭ ମାଜିଷ୍ଟ୍ରେଟ ଶ୍ରୀ ପ୍ରଶାନ୍ତ ଭାତ୍ରା (ଅତିରିକ୍ତ ତହସିଲଦାର, ଚିତ୍ରକୋଣ୍ଡା)ଙ୍କ ଉପସ୍ଥିତିରେ ରେଡ଼ କରିଥିଲା । ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ନିର୍ଦ୍ଦେଶ କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବନପାଳ ଶ୍ରୀ ମୋହନ ଗୁଡ଼ିଆ ଏବଂ ଅନ୍ୟ କର୍ମଚାରୀ ତନଖି କରିଥିଲେ । ଶ୍ରୀ ମୋହଦ୍ଦିନ ଶରୀଫ୍ ରେଡରେ ସମ୍ପୂର୍ଣ ସହଯୋଗ କରିଥିଲେ । ସେ ତାଙ୍କ ଝିଅର ବାହାଘର ପାଇଁ ଏହି କାଠ ଗୁଡିକୁ କିଣି କରି ରଖିବା ପ୍ରକାଶ କରିଥିଲେ । ରେଡରେ ପ୍ରାୟ ୪୫ ଖଣ୍ଡ ଶିଶୁ ,ଟିକ୍ ଏବଂ ବୀଜା କାଠ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨,୫୦,୦୦୦ ଟଙ୍କା ହେବ । ଜବତ କାଠ ସପକ୍ଷରେ ଶ୍ରୀ ମୋହଦ୍ଦିନ ଶରିଫ୍ କୌଣସି ବୈଧ କାଗଜ ପତ୍ର ଦେଖାଇ ପାରିନଥିଲେ । କାଠ ଗୁଡ଼ିକ ଜବତ ପରେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟଳୟରେ ବନରକ୍ଷୀ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କ ଜିମାରେ ରଖାଯାଇଛି । ଘଟଣାର ଉତ୍ସକୁ ପହଞ୍ଚିବା ନିମନ୍ତେ ବନ ବିଭାଗ ଏକ ଜଙ୍ଗଲ ମୋକଦମା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ଆଜି ରେଡରେ ବାଲିମେଳା ବନାଞ୍ଚଳର, ବନପାଳ ଶ୍ରୀ ମୋହନ ଗୁଡିଆ ଓ କୁମାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ଏବଂ ବନାଞ୍ଚଳର ସମସ୍ତ ବନରକ୍ଷୀ ଏବଂ ଜଙ୍ଗଲ ସୁରକ୍ଷା ସ୍କ୍ବାଡ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.