ସାହାଯ୍ୟପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ

କୋଟପାଡ଼: ଚଳିତ ବର୍ଷ ୭୭ତମ ସ୍ୱାଧୀନତା ଦିବସ ଅବସରରେ କୋଟପାଡ଼ ଏନ୍ଏସିର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସାହାଯ୍ୟପ୍ରାପ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁରସ୍କୃତ ହେବା ପରେ କୋଟପାଡ଼ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଦୁଇଜଣ ଶିକ୍ଷୟିତ୍ରୀଙ୍କ ପ୍ରୟାସ ଫଳରେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାପ୍ରଦାନ ସହ ଅଣଶୈକ୍ଷିକ କାର୍ଯ୍ୟକ୍ରମରେ ମଧ୍ୟ ବିଦ୍ୟାଳୟ ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନପୂର୍ବକ ଅନ୍ୟ ସମସ୍ତ ବିଦ୍ୟାଳୟକୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିବାରେ ସକ୍ଷମ ହୋଇପାରିଛି। ବିଦ୍ୟାଳୟର ସ୍ୱଚ୍ଛତା ଓ ପରିବେଶ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିପାରିଥିବା ବେଳେ ଚଳିତ ବର୍ଷ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ ହେବା ଫଳରେ ଏହା କାର୍ଯ୍ୟରତ ଶିକ୍ଷୟିତ୍ରୀମାନଙ୍କ ତଥା ବିଦ୍ୟାଳୟ ପରିଚାଳନା କମିଟି ମନୋବଳ ବୃଦ୍ଧିରେ ନିହାତିଭାବେ ସହାୟକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ମାନ୍ୟବର ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ,ଏନ୍ଏସି ଅଧ୍ୟକ୍ଷ ଏମ୍.ଶଙ୍କର ରାଓ, ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ ମେମ୍ବର ତଥା କୋଟପାଡ଼ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ମହାପାତ୍ର ଓ ସହକାରୀ ଶିକ୍ଷୟିତ୍ରୀ କେ.ଆଶାଲତା ମଞ୍ଚାସୀନ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ପ୍ରଧାନଶିକ୍ଷୟିତ୍ରୀ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ବିଦ୍ୟାଳୟର ସହକର୍ମୀ, ଗୋଷ୍ଠୀ ତଥା ଅଭିଭାବକମାନଙ୍କ ମିଳିତ ପ୍ରୟାସରେ ଏହି ସଫଳତା ହାସଲ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମର୍ପିତ ରହିବେ। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ବିଦ୍ୟାଳୟକୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି।

Leave A Reply

Your email address will not be published.