ପତ୍ନୀଙ୍କ ପାଇଁ ଫସିଗଲେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି! ପୁଲିସ୍ ମୁଖ୍ୟାଳୟକୁ ହେଲା ବଦଳି

ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ/ଅନୁଗୁଳ: ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ସହି ନପାରି ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କର ଦୁଇଟି ଯାକ ଗୋଡ଼ କଟି ଯାଇଥିବା ବେଳେ ସେ ଏବେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଜାତୀୟ ମାନବାଧିକାର କମିଶନ (NHRC)ରେ ଏତଲା ଦାଏର ହୋଇଛି।

ସେହିପରି ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ।

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ବ୍ରିଜେଶ କୁମାର ରାୟଙ୍କ ବାସଭବନରେ ନିୟୋଜିତ ହୋଇଥିଲେ ହୋମଗାର୍ଡ ସୈରିଦ୍ରୀ ସାହୁ। ତେବେ ତାଙ୍କୁ ଡିଆଇଜିଙ୍କ ପତ୍ନୀ ସବୁବେଳେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଡିଆଇଜିଙ୍କ ପତ୍ନୀ ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି।

ସୈରିଦ୍ରୀ ସାହୁ ଗତ ୧୩ ତାରିଖରେ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସଂପର୍କରେ ଲିଖିତ ଭାବେ ହୋମଗାର୍ଡ ଡିଜିଙ୍କୁ ଜଣାଇଥିଲେ। ଅନ୍ୟପଟେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ। ସେ କହିଛନ୍ତି, ତାଙ୍କର (ସୈରିଦ୍ରୀ ସାହୁ) ପାରିବାରିକ ସମସ୍ୟା ଥିଲା। ସେ ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ।

ସୈରିଦ୍ରୀଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ନିଜ ୨ ଝିଅଙ୍କୁ ଧରି ରୁହନ୍ତି। ତାଙ୍କ ରୋଜଗାରରେ ପରିବାର ଚଳୁଥିବା ବେଳେ ଏବେ ସେ ଦୁଇଟି ଯାକ ଗୋଡ଼ ହରାଇଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.