ଭୁବନେଶ୍ୱର, ୨୬/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ସମସ୍ତ କ୍ୟାମ୍ପସରେ ଅଗଷ୍ଟ ୧୨ ରୁ ୧୮ ତାରିଖ ପର୍ଯ୍ୟନ୍ତ ଆଂଟି ରାଗିଂ ସପ୍ତାହ ପାଳିତ ହୋଇଯାଇଛି । ଛାତ୍ର ଅବସ୍ଥାରେ ରାଗିଂ ମନୁଷ୍ୟର ସାମାଜିକ ମୂଲ୍ୟବୋଧକୁ ହ୍ରାସ କରେ ଓ ଭବିଷ୍ୟତକୁ ନଷ୍ଟ କରିଥାଏ । ତେଣୁ ୟୁଜିସିର ନିୟମାବଳୀ ଅନୁଯାୟୀ ଏହି ବାର୍ତାର ସଚେତନତା ଦିଗରେ ପଦକ୍ଷେପ ନିଆଯାଇ ସୋଆରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଆୟୋଜିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ବିତର୍କ, ପୋଷ୍ଟର ଓ ରଙ୍ଗୋଲି ପ୍ରତିଯୋଗିତାରେ ସୋଆର ବିଭିନ୍ନ ଶିକ୍ଷାନୁଷ୍ଠାନର ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଅଗଷ୍ଟ ୨୪ ତାରିଖରେ ସୋଆ କୃଷି ମହାବିଦ୍ୟାଳୟ (ଆଇଏଏସ୍)ର ଭାଷା ପ୍ରୟୋଗଶାଳାରେ ଏହାର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଜୀବନରେ ରାଗିଂ କିଭଳି ପ୍ରଭାବ ପକାଏ ସେ ବିଷୟରେ ଆଲୋକପାତ କରିଥିଲେ ।
ଏହି ଉତ୍ସବର ଅନ୍ୟତମ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ କ୍ୟାମ୍ପସରେ ବନ୍ଧୁତ୍ୱକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଯୋଗ ଦେଇଥିଲେ । ଡକ୍ଟର ଅଂଶୁମାନ ଜେନା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବକୁ ଡକ୍ଟର ପ୍ରଭାତ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ ।
ବିତର୍କ ପ୍ରତିଯୋଗିତାରେ ମେଘା ପରିଡା, ଆକାଂକ୍ଷା ଦାଶ ଗୋସ୍ୱାମୀ ଓ ଆଦ୍ରିଜା ଖେଟୋ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପୋଷ୍ଟର ତିଆରିରେ ଶ୍ରୀୟସ ଦାଶ ପ୍ରଥମ ଓ ସୌମ୍ୟା ସମ୍ରିତା ଓ ସ୍ୱସ୍ତିକା ରଥ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ରଙ୍ଗୋଲି ପ୍ରତିଯୋଗିତାରେ ଅପର୍ଣ୍ଣା ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯୁଗ୍ମ ଦ୍ୱିତୀୟ ଭାବେ ଭାଗ୍ୟଶ୍ରୀ ମହାନ୍ତି ଓ ମେଘନା ମହାନ୍ତି ପୁରସ୍କୃତ ହୋଇଥିଲେ । ମାହେଶ୍ୱରୀ ରାଉତ ତୃତୀୟ ପୁରସ୍କାର ପାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଡକ୍ଟର ଭୁବନାନନ୍ଦ ଅଧିକାରୀ, ଶ୍ରୀ ଆକାଶ ତିରକା, ଶ୍ରୀମତୀ ଅନ୍ନପୂର୍ଣ୍ଣା ପଟ୍ଟନାୟକଙ୍କ ସମେତ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।