ଭୁବନେଶ୍ୱର, ୨୯/୦୮: ଆରବ ସାଗରରୁ ଜଳୀୟ ବାଷ୍ପ ସହ ପ୍ରବାହିତ ହେଉଥିବା ଦକ୍ଷିଣ ପଶ୍ଚିମ ବାୟୁ ଅନେକ ଦିନ ପର୍ଯ୍ୟନ୍ତ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଫଳରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି । ମାତ୍ର ସାରା ଭାରତରେ ପଶ୍ଚିମ ଓ ଉତର ପଶ୍ଚିମ ବାୟୁର ପ୍ରବାହ ଅଗଷ୍ଟ ୩୧ ତାରିଖ ଯାଏଁ ଜାରୀ ରହିବ ବୋଲି ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ପକ୍ଷରୁ ଜାରୀ ଏକ ବୁଲେଟିନ୍ରେ କୁହାଯାଇଛି ଯେ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ମ୍ୟାଁମାର ଓ ବାଂଲାଦେଶ ଉପକୂଳବର୍ତୀ ଅଂଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ସେପ୍ଟେମ୍ବର ୨ ଦିନ ଏହା ଉତର ପଶ୍ଚିମ ବଙ୍ଗୋପ ସାଗର ଆଡକୁ ମୁହାଁଇବ ।
ସେପ୍ଟେମ୍ବର ୪ ତାରିଖରେ କେନ୍ଦ୍ରୀୟ ଓଡ଼ିଶା ଛୁଇଁବା ପୂର୍ବରୁ ଏହା ଦକ୍ଷିଣ ଓଡ଼ିଶା – ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଆସିବ ବୋଲି ଜଣାପଡ଼ିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୩ ତାରିଖ ଅପରାହ୍ଣ କିମ୍ବା ସେପ୍ଟେମ୍ବର ୪ ତାରିଖ ସକାଳେ ଉତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରର୍ବତୀ ସମୟରେ ସେପ୍ଟେମ୍ବର ୫ ସୁଦ୍ଧା ଏହା ଅବପାତର ରୂପ ନେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ବୁଲେଟିନ୍ ଅନୁଯାୟୀ ସେପ୍ଟେମ୍ବର ୨ରୁ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ ଓ ସେପ୍ଟେମ୍ବର ୪ ରୁ ୭ ତାରିଖ ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ସମେତ ଉତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ ।
ସେହିପରି ସେପ୍ଟେମ୍ବର ୫ ଓ ୬ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହା ଯୋଗୁଁ ଓଡ଼ିଶାର କେତେକ ଜିଲ୍ଲାରେ ହୋଇଥିବା କମ୍ ବର୍ଷା ଜନିତ ପରିସ୍ଥିତିରେ ସୁଧାର ଆସିପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।