ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ।
ସୂଚନା ଅନୁସାରେ ସୂର୍ଯ୍ୟ ପାତ୍ର ଆଜି ସନ୍ଧ୍ୟାରେ ଅଚାନକ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ସୂର୍ଯ୍ୟ ନାରାୟଣ ପାତ୍ର ଗଂଜାମ ଜିଲ୍ଲା ଦିଗପହଣ୍ଡି ଓ ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନରୁ ୭ ଥର ବିଧାୟକ ହୋଇଥିଲେ। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଥିଲେ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ଦେଖାଇଥିଲେ। ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍ ୧ରୁ ୨୦୨୨ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଗଂଜାମ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା ଥିଲେ। ତୃଣମୂଳ ସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।
୯୯୭ ମସିହାରେ ବ୍ରହ୍ମପୁର ମହାନଗର ନିଗମ କାଉନସିଲର ଭାବେ ନିର୍ବାଚିତ ହେବା ପରଠୁ ଆଉ ରାଜନୀତିରେ ପଛକୁ ଫେରି ନଥିଲେ ସୂର୍ଯ୍ୟନାରାୟଣ ପାତ୍ର। ସେ ଫିସଫେଡ୍, ଓମଫେଡ୍ ଓ ଓପେଲଫେଡ୍ର ଅଧ୍ୟକ୍ଷ ସହ ଦୀର୍ଘବର୍ଷ ଧରି ଓଡ଼ିଶା ଘରୋଇ ମୋଟର ପରିବହନ କର୍ମଚାରୀ ସଂଘର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ସେ ଗଞ୍ଜାମ ଆଥଲେଟିକ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ସଦସ୍ୟ ଥିଲେ ।
ସ୍ୱର୍ଗତ ପାତ୍ର ପ୍ରଥମ ଥର ପାଇଁ ୧୯୯୦ ମସିହାରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଜନତା ଦଳ ଟିକେଟରେ ମୋହନା ବିଧାନସଭା ଆସନରୁ ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଦୁଇଥର ନିର୍ବାଚିତ ହୋଇଥିଲେ । ସେ ୧୯୯୦ ମସିହା ପରଠୁ କେବେ ନିର୍ବାଚନରେ ପରାଜିତ ହୋଇନଥିଲେ ।
୧୯୯୦ରେ ବିଧାୟକ ଭାବେ ବିଜୟୀ ହୋଇ ଆସିବା ପରେ ବିଜୁ ପଟ୍ଟନାୟକଙ୍କ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରାୟ ୬ ମାସ ପାଇଁ କାର୍ଯ୍ୟ କରିଥିଲେ । ତା’ପରେ ୨୦୦୦ ମସିହାରୁ ୨୦୧୯ ମେ’ ଯାଏ ନବୀନ ପଟ୍ଟନାୟକ ସରକାରରେ ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନରୁ ୪ଥର ଓ ଦିଗପହଣ୍ଡି ଆସନରୁ ୩ ଥର ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ପାତ୍ର ଜନତା ଦଳ ଟିକେଟରେ ୧୯୯୦ ଓ ୧୯୯୫ରେ ମୋହନାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡି ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆସନରୁ ବିଜୟୀ ହୋଇଥିଲେ।
ନିଜର ରୋକଠୋକ୍ କଥା ପାଇଁ ପରିଚିତ ସ୍ୱର୍ଗତ ପାତ୍ର ୨୦୧୯ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ଇ-ବିଧାନସଭା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ପ୍ରଚେଷ୍ଟା ଯୋଗୁ ବିଧାୟକମାନଙ୍କ ସରକାରୀ ବାସଭବନକୁ ଭାଙ୍ଗି ଅତ୍ୟାଧୁନିକ ସୁବିଧାଯୁକ୍ତ ବହୁତଳ ପ୍ରସାଦ କାର୍ଯ୍ୟ ଏବେ ଜାରି ରହିଛି । ୨୦୨୨ ଜୁନ୍ ମାସରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେବେଠୁ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନଥିଲା ।
୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ହୋଇଥିଲେ ସୂର୍ଯ୍ୟନାରାୟଣ ପାତ୍ର। ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତାଙ୍କୁ ୨୦୧୯ ଫେବୃୟାରୀ ମାସରେ ପଞ୍ଜାବର ଦେଶଭଗତ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମିଳିଥିଲା ।
ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି। ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭୂମିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍, ବଦ୍ରି ପାତ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି, ମହମ୍ମଦ ମୋକିମ, ଭୃଗୁ ବକ୍ସିପାତ୍ର, ସଞ୍ଜୟ ଦାସବର୍ମା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।