କଟକ (ନୃସିଂହ ଚରଣ ଦାସ): ରାଜ୍ୟ ରାଜନୀତିରେ ସାଲେପୁର ନିର୍ବାଚନ ମଣ୍ଡଳୀ । ରାଜନୀତି ଲାଗି ଯେତିକି ଚର୍ଚ୍ଚାରେ ସେମିତି ଚର୍ଚ୍ଚାରେ ଏଠାକର ପ୍ରସ୍ତୁତ ମିଠା । ଏଠାରେ ନାହିଁ ଖଣି କିମ୍ବା ଖଦାନ । ନାହିଁ କଳ କିମ୍ବା ରେଳ ସୁବିଧା। ପଶ୍ଚିମରେ ଚିତ୍ରୋତ୍ପଳା ଆଉ ଉତ୍ତରରେ ବିରୂପା । ଯାହାର ଜଳରାଶି କରିଛି ଏହି ଅଞ୍ଚଳକୁ ଶସ୍ୟଶ୍ୟାମଳା। ଏନେଇ ସାଲେପୁରର ରହିଛି ଏକ ସ୍ଵତନ୍ତ୍ରତା। ନା ଏଠାରେ ହୋଇଛି ବୁଥ ଜବରଦଖଲ ନା ଘଟିଛି ରାଜନୈତିକ ହିଂସାକାଣ୍ଡ । ରାଜ୍ୟ ସରକାରଙ୍କ ଗୁଡବୁକରେ ରହିଛି ଏହି ଅଞ୍ଚଳ । ଉତ୍କଳ ଗୌରବଙ୍କ ସୁନେଲି ସ୍ୱାକ୍ଷର ବହନ କରୁଥିବା ମଧୁମାଟିରେ ଯେମିତି ହିଂସାର ସ୍ଥାନ ନାହିଁ । କଟକ ଜିଲ୍ଲାରେ ବିଧାନସଭା କ୍ଷେତ୍ର ଥିବାବେଳେ ଲୋକସଭା ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡ଼ା ।
୧୯୫୧ରୁ ୨୦୧୯ । ଦୀର୍ଘ ୪୮ ବର୍ଷର ପଲିଟିକାଲ ଗେମରେ ବେଶ୍ ଦବଦବା ଥିଲା ଅଧ୍ୟାପକ କାଳନ୍ଦୀ ବେହେରାଙ୍କର। ନିର୍ବାଚନ ମଣ୍ଡଳୀ ଆରମ୍ଭରୁ ରହିଛି ବିଧାୟକ ପଦବୀ ସଂରକ୍ଷିତ। କିନ୍ତୁ ୨୦୧୯ ନିର୍ବାଚନ ପରେ ସାଲେପୁର ରାଜନୀତି ଲେଉଟାଇଛି କଡ । ଯାହାର ଝଲକ ଦେଖିବାକୁ ମିଳିବ ଆଗାମୀ ନିର୍ବାଚନରେ । ସାଲେପୁର ପଂଚାୟତ ସମିତିର ୩୬ଟି ଆଉ ଟାଙ୍ଗୀ ଚୌଦ୍ବାରର ୧୧ଟି ପଂଚାୟତ ସାମିଲ ଅଛି ଏହି ବିଧାନସଭା କ୍ଷେତ୍ରରେ । ଯାହାର ଭୋଟର ସଂଖ୍ୟା ୨ ଲକ୍ଷ ୧୦ ହଜାର ୪୬। ମୋଟ ଭୋଟରଙ୍କ ୩୦ ପ୍ରତିଶତ ସଂଖ୍ୟାଲଘୁ। ଯାହାକି କଂଗ୍ରେସ ଓ କାଳନ୍ଦୀ ବେହେରାଙ୍କ ପରିବାରକୁ ବେଶ୍ ସୁହାଇଥିଲ । ସ୍ବର୍ଗତ ବେହେରା ଉଭୟ ବିଜୁ ବାବୁ ନବୀନ ବାବୁଙ୍କର ଥିଲେ ସହଯୋଗୀ। କିନ୍ତୁ ପରିବାରବାଦ ଲାଗି ୨୦୧୪ରେ ବିଜେଡ଼ିର ନୂଆ ମୁହଁ ହୋଇଥିଲେ ପ୍ରଶାନ୍ତ ବେହେରା। ହେଲେ ବିଜେଡି ଗଡରେ କଂଗ୍ରେସ ମାରିଥିଲା ବାଜି । ୨୦୧୯ରେ ପୁଣି ପଲ୍ଟି ମାରିଥିଲା ବିଜେଡି। ଆଉ ହାତକୁ ଆଣିଥିଲା ସାଲେପୁର । ଏଥର ସ୍ଥିତି ଓଲଟା । ବିଜେଡିରେ ଚାଲିଛି କ୍ଷମତା ଲଢେଇ, ଗୋଷ୍ଠୀ କନ୍ଦଳ। ଅଛନ୍ତି ବହୁ ଆଶାୟୀ । କିଏ ଧରିବା ମଙ୍ଗ। ନା ପୁଣି ପ୍ରାକ୍ତନ କଂଗ୍ରେସ ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ପ୍ରକାଶଙ୍କ ପାଖକୁ ଫେରିବ କ୍ଷମତା। ଅନ୍ୟପଟେ ୩୦ ପ୍ରତିଶତ ସଂଖ୍ୟାଲଘୁ ଭୋଟ କଂଗ୍ରେସକୁ ଚଖାଇବ କି ବିଜୟର ସ୍ବାଦ। ଯାହାକି ସମୟ କହିବ।