ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୁଅନ୍ତୁ, ରାଜଧର୍ମ ପାଳନ କରନ୍ତୁ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ ସାଂସଦ ଅପରାଜିତା
ମାଲକାନଗିରିରୁ ଶିକ୍ଷିତ ଯୁବକ ଯୁବତୀ ରୋଜଗାର ନ ପାଇ ଦାଦନ ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି
ମାଲକାନଗିରି: ମୋଦୀ ସରକାର ଆସିଲେ ୫ ବର୍ଷରେ ହେବ ସମସ୍ତ ସମସ୍ୟାର ସମାଧାନ, ୨୩ ବର୍ଷ ଶାସନରରେ ରାଜ୍ଯର ଯୁବକ ବାହାରକୁ ଯାଉଛନ୍ତି ଦାଦନ । ମାଲକାନଗିରି ଗସ୍ତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା ।
ମାଲକାନଗିରି ଜିଲ୍ଲାର ଜନସଂଖ୍ୟା ୮ ଲକ୍ଷ ୫୨ ହଜାର ରହିଛି । ତନ୍ମଧ୍ୟରୁ ଶତକଡ଼ା ୭୫ ପ୍ରତିଶତ ଶ୍ରାମିକ, ଚାଷୀ ଅଛନ୍ତି । ଏମାନେ ରୋଜଗାର ଅଭାବରୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଯାଉଛନ୍ତି । ଯଦି ଜିଲ୍ଲାରେ ଛୋଟ ଛୋଟ ଉଦ୍ୟୋଗ ହୋଇଥାନ୍ତା, ତାହା ହେଲେ ସେମାନେ ବାହାରକୁ ଯାଇ ନଥାନ୍ତେ ବୋଲି ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ମାଥିଲି, ଖଇରପୁଟ ଓ କୋରୁକକଣ୍ଡା ବ୍ଲକରେ ଜଳସେଚନର ସୁବିଧା ନ ଥିବା ବେଳେ ଅନ୍ୟ ବ୍ଲକର ଅବସ୍ଥା ଖରାପ ରହିଛି । ଜଳସେଚନର ସୁବିଧା ଥିଲେ ଚାଷୀମାନେ ବର୍ଷକୁ ୩ରୁ ୪ଟା ଫସଲ କରିପାରିଥାନ୍ତେ । ବିଇଡି କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ହ୍ୟୁମାନ ଡେଭଲପମେଂଟ ଇଣ୍ଡେକ୍ସରେ ମାଲକାନଗିରି ଜିଲ୍ଲା ରାଜ୍ୟର ୨୯ କିମ୍ବା ୩୦ ନମ୍ବରରେ ରହିଛି । ଗତ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଜିଲ୍ଲାର ମହିଳାଙ୍କ ସାକ୍ଷରତା ହାର ଶତକଡ଼ା ୬ ପ୍ରତିଶତରୁ ଉର୍ଦ୍ଧ ନାହିଁ । ଜିଲ୍ଲାରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁ ହାର ଓ କୁପୋଷଣ ହାର ଅଧିକ ରହିଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଛି । ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହଛି ବୋଲି ମାଲକାନଗିରି ଡି.ଏନ.କେ ଖେଳ ପଡ଼ିଆଠାରେ ମାଲକାନଗିରି ବିକାଶ ପରିଷଦର ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିିଛନ୍ତି । ଏଥି ସହ ଭୁବନେଶ୍ୱରରେ ତାମିଲନାଡ଼ୁର ଜଣେ ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବରଦଖଲ କରି ୩୦୦ ଏକର ଜମିରେ ପାଣି ବନ୍ଦ କରିଛନ୍ତି । ଯଦି ସେଠାରେ ଏଭଳି ଅବସ୍ଥା ତାହା ହେଲେ ମାଲକାନଗିରିରେ ଏଭଳି ଜବରଦଖଲ କେତେ ଥିବ ବୋଲି ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ନ ହୁଅନ୍ତୁ ଓ ରାଜଧର୍ମ ପାଳନ କରି ତାଙ୍କ ଆଖ ପାଖ ଅଞ୍ଚଳରେ କଣ ହେଉଛି ଦେଖନ୍ତୁ ବୋଲି ସେ କହିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ବିଜେପିର ବରିଷ୍ଠ ନେତା ଗୁରୁଚରଣ ମହାନ୍ତି, ମନୋଜ କୁମାର ପାଢ଼ୀ, ମାଲକାନଗିରି ବିକାଶ ପରିଷଦର ଆବାହକ ଇ. ପ୍ରସାଦ ରାଓ, ଆମ ପରିବାରର ଆବାହକ ଜୀବନ ସାହୁ, ଆମ ପରିବାରର ଆବାହକ ମନ୍ମଥ ମଲ୍ଲିକ, ରାଜ୍ୟ ଆବାହକ ନିଶିକାନ୍ତ ନାୟକ, ସଂଯୋଜକ ରଶ୍ମି ରଞ୍ଜନ ଲେଙ୍କା, କୋରାପୁଟ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ବିଜୟ ମିଶ୍ରଙ୍କ ସମେତ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଏ ଅବସରରେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ କ୍ଷୁଦ୍ର ଜମାକାରୀ ସଂଘ ଦ୍ୱାରା ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏଥି ପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଏକ ବିରାଟ ପଦଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ଡି.ଏନ.କେ ଖେଳ ପଡ଼ିଆଠାରେ ପହଞ୍ଚିଥିଲା ।