xmas

ପାଠୋଦ୍ଧାର ହେଲା ପିଙ୍ଗଳାକ୍ଷୀ ମନ୍ଦିର ଦ୍ୱାରବନ୍ଧର ପ୍ରାଚୀନ ଅଭିଲେଖ

ପୁରୀ: ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଡେଣୁଅଁ ଗ୍ରାମ ଦେବୀ ପିଙ୍ଗଳାକ୍ଷୀ ମନ୍ଦିର ଦ୍ୱାରବନ୍ଧରେ ଖୋଦିତ ପ୍ରାଚୀନ ଓଡ଼ିଆ ଶିଳାଲେଖର ପାଠୋଦ୍ଧାର କରାଯାଇଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ଐତିହ୍ୟ ଗବେଷକ ବିଷ୍ଣୁ ମୋହନ ଅଧିକାରୀ, ଦୀପକ କୁମାର ନାୟକ ଓ ମିହିର ବାହିନୀପତିଙ୍କ ମିଳିତ ପ୍ରୟାସରେ ଏହି ପୁରାତନ ଶୀଳାଲେଖକୁ ପଢ଼ାଯାଇପାରିଛି।

ଏ ସମ୍ପର୍କରେ ଅଧିକ ତଥ୍ୟ ଦେଇ ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ, ଦେବୀ ପିଙ୍ଗଳାକ୍ଷୀଙ୍କ ଗର୍ଭଗୃହକୁ ବାମ ପ୍ରବେଶ ଦ୍ୱାରରେ ଆମକୁ ତିନି ଧାଡି ବିଶିଷ୍ଟ ଏକ ପ୍ରାଚୀନ ଓଡ଼ିଆ ଅଭିଲେଖ ଦେଖିବାକୁ ମିଳିଥିଲା। ଏହାଉପରେ ଚୂନର ପ୍ରଲେପ ଦିଆଯାଇଥିବାରୁ କିଛି ଅକ୍ଷର ନଷ୍ଟ ହୋଇଯାଇଛି ଓ କିଛି ଦୃଶ୍ୟମାନ ହେଉନାହିଁ। ତେବେ ଦୃଶ୍ୟମାନ ହେଉଥିବା ଅକ୍ଷର ସବୁକୁ ଜ୍ଞାତକୁ ନେଇ ଆମେ ଅଭିଲେଖଟିର ପାଠୋଦ୍ଧାର ନିମ୍ନମତେ କରିଛୁ।

୧ମ ଧାଡି- ଘୁମୁସରୁ ଆସି ୨ୟ ଧାଡି- ପୀଙ୍ଗଃଳ ଗଢିଥୀଲେ ୩ୟ ଧାଡି- ଶ୍ରୀଗୋପାଳରଥ

ଗବେଷକ ବିଷ୍ଣୁମୋହନ ଅଧିକାରୀଙ୍କ ମତରେ ଏହା ଘୁମୁସର ଅଞ୍ଚଳରୁ ଆସିଥିବା ରଥ ସଜ୍ଞକ ଶାସ୍ତ୍ରକାର ବ୍ରାହ୍ମଣ ମାନଙ୍କୁ ସୂଚାଉଛି। ଓଡ଼ିଆ ଭାଷାରେ ଏହି ପିଙ୍ଗଳାକ୍ଷୀ ଦେବୀଙ୍କ ନାମ ଦେବୀ ପାର୍ବତୀଙ୍କ ସହ ଜଡ଼ିତ। ଏହା ସହ ପ୍ରାଚୀନ କଳିଙ୍ଗର ନାଗ ତନ୍ତ୍ର ଓ ଯୋଗର ସମ୍ବନ୍ଧ ରହିଥିବା ପିଙ୍ଗଳ ଶବ୍ଦ ରୁ ଜଣାପଡେ। ଅର୍ଥାତ୍ ତତ୍କାଳୀନ ଘୁମୁସର ର ଶୋତ୍ରିୟ ବ୍ରାହ୍ମଣ ମାନେ ଏ ଦେଉଳ ର ଯଜ୍ଞ ପ୍ରତିଷ୍ଠା କର୍ମରେ ନିୟୋଜିତ ଥିବା ଅନୁମେୟ। ଲିପିତତ୍ତ୍ୱକୁ ବିଚାରକୁ ନେଲେ ଏହି ଅଭିଲେଖ ପାଖାପାଖି ୧୬ଶ ଶତାବ୍ଦୀ ସମୟର ହୋଇପାରେ ବୋଲି ଶ୍ରୀ ଅଧିକାରୀ ପ୍ରକାଶ କରିଛନ୍ତି।

ମିହିର ବାହିନୀପତି କହିଛନ୍ତି ଯେ ସ୍ଥାନୀୟ ଲୋକକଥା ଅନୁଯାୟୀ ମନ୍ଦିରଟି ସୂର୍ଯ୍ୟବଂଶୀ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିଲା। ଏହା ଏକ ତନ୍ତ୍ରପୀଠ ରୂପେ ବିଦିତ। ତେବେ ମନ୍ଦିର ସମ୍ବନ୍ଧୀୟ ଐତିହାସିକ ତଥ୍ୟ ସଠିକ ରୂପରେ ଜାଣିବାକୁ ହେଲେ ଏ ଅଞ୍ଚଳରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Leave A Reply

Your email address will not be published.