ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୮/୦୯: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ)ର ୨୦୨୦, ୨୦୨୧ ଓ୨୦୨୨ ବ୍ୟାଚର ଶିକ୍ଷା ସମାପ୍ତ କରିଥିବା ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏ) ଓ ଏମ୍‌ବିଏ (ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌)ର ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।

ବିଶ୍ୱବିଦ୍ୟାଳୟରୁ ୨୦୨୧ ଓ ୨୦୨୨ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ) ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରିଛନ୍ତି ।

କରୋନା ମହାମାରୀ ସମୟରେ କୌଣସି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଉପାଧି ପ୍ରଦାନ କରାଯାଇପାରି ନଥିଲା ।

ବିଗତ ବର୍ଷରେ ବିଶ୍ୱବିଦ୍ୟାଳୟରୁ ବ୍ୟାଚ୍‌ଲର୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି), ବିବିଏ ଇନ୍ ହସ୍ପିଟାଲିଟି ଆଣ୍ଡ କଲିନାରୀ ଆର୍ଟ୍ସ ଓ ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୋଆ ଭଳି ଉଚ୍ଚ ର‌୍ୟାଙ୍କ ଥିବା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯକରିବାକୁ ପ୍ରଫେସର ନନ୍ଦ ଆହ୍ୱାନ ଜଣାଇଥିଲେ ।

ଏହି ଉତ୍ସବରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ର ଡିନ୍ ପ୍ରଫେସର ଏସ୍‌.ଆର୍‌. ଚଇନି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.