xmas

ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶଶୀଭୂଷଣଙ୍କ ହୃଦଘାତରେ ମୃତ୍ୟୁ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୋକ ସଭା

ମାଲକାନଗିରି, ୧।୧୦: ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଶଶୀଭୂଷଣ ମହାପାତ୍ର (୬୩)ଙ୍କ ଆଜି ଜିଲ୍ଲା ହସ୍ପିଟାଲରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୋକ ସଭା କରାଯାଇ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଯାଇଛି। ଡାକ୍ତର ମହାପାତ୍ର ମାଲକାନଗିରି ଜିଲ୍ଲାରେ ଗତ ୧୯୮୮ ମସିହାରେ ଡାକ୍ତର ଭାବେ ଖଇରପୁଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ। ପରବର୍ତୀ ସମୟରେ ତାଙ୍କର ପଦଉନ୍ନତି ହୋଇ ସେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ଭାବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପାଇଥିଲେ।ଗତକାଲି ରାତ୍ରରେ ଡାକ୍ତର ମହାପାତ୍ରଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା। ଆଜି ସକାଳେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି। ତାଙ୍କ ନିକଟରେ ପତ୍ନୀ ଗୀତାଞ୍ଜଳି ଓ ଅନ୍ୟ ଡାକ୍ତର ମାନେ ଉପସ୍ଥିତ ଥିଲେ। ତାଙ୍କର ଗୋଟିଏ ଝିଅ ଭୁବନେଶ୍ୱର ପଢ଼ୁଥିବା ବେଳେ ଦୁଇ ପୁଅ
ବାଙ୍ଗାଲୋରରେ ଚାକିରୀ କରିଥିବାର ଜଣାପଡିଛି। ସେ ଜଣେ ମିଷ୍ଠଭାଷୀ, ପରଉପକାରୀ ମଣିଷ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ମାଲକାନଗିରି ସହରର ବିଶିଷ୍ଠ ବ୍ୟକ୍ତି ବିଶେଷ ମାନେ ହସ୍ପିଟାଲରେ ପହଁଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ମରଶରୀରକୁ ଆଜି ପୁରୀ ନିଆଯାଇ ସ୍ଵର୍ଗଦ୍ଵାରଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଡିଏମଓଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ହସ୍ପିଟାଲ ପରିସରରେ ହସ୍ପିଟାଲ ସୁପ୍ରିଟେଣ୍ଡେଣ୍ଟ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବ ପ୍ରସାଦ ମହାରଣାଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଡାକ୍ତର ମହାପାତ୍ରଙ୍କ ସ୍ମୃତି ଉଦ୍ଧେଶ୍ୟରେ ଶୋକ ସଭାର ଆୟୋଜନ କରାଯାଇଥିଲା। ସ୍ୱର୍ଗତ ମହାପାତ୍ରଙ୍କ ଫଟୋରେ ମାଲ୍ୟର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ରହି ସ୍ୱର୍ଗତ ଡାକ୍ତର ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ଓ ରୋଗୀ ସେବାର ଆଗ୍ରହ ଉପରେ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Leave A Reply

Your email address will not be published.