xmas

ସୋଆରେ ସବୁଜ ବିପ୍ଳବର ଜନକ ସ୍ୱର୍ଗତଃ ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଭୁବନେଶ୍ୱର, ୦୭/୧୦: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ( ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ଶନିବାର ପ୍ରଫେସର ଏମ୍‌ଏସ୍ ସ୍ୱାଥୀନାଥନ୍ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି ।

ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥନ୍ ଥିଲେ ଭାରତୀୟ କୃଷିବିଜ୍ଞାନ ର ଜଣେ ଦିଗବାରେଣୀ ପୁରୁଷ । ଷାଠିଏ ଦଶକର ଏକ ଭୟଙ୍କର ଦୁର୍ଭିକ୍ଷରେ ଯେବେ ଭାରତୀୟ କୃଷି ଅର୍ଥନୀତି ପ୍ରଚୁର ପ୍ରଭାବିତ ହେଲା, ସେତେବେଳେ ପ୍ରଫେସର ସ୍ୱାମୀନାଥନଙ୍କ ନେତ୍ୱତୃ ରେ ସବୁଜ ବିପ୍ଳବ ର ଯେଉଁ ଧାରା ଜନଜୀବନକୁ ପୁନଃଅଭ୍ୟୁଦୟ କଲା ତାହା ତାଙ୍କୁ ବାସ୍ତବିକ ଜଣେ ଶ୍ରେଷ୍ଠ ବୈଜ୍ଞାନିକ ତଥା ଭାରତର ଜଣେ କୃତି ସନ୍ତାନ ଭାବରେ ଅଭିହିତ କରାଇଲା ।

ଭାରତ ଓ ବିଦେଶରୁ ନିଜ କୃଷି ବିଜ୍ଞାନ ସମ୍ବନ୍ଧିତ ଉଚ୍ଚ ଶିକ୍ଷା ଲାଭ ପରେ ସ୍ୱାମୀନାଥନ୍ ଭେଟିଥିଲେ ବିଶ୍ୱ ବିଖ୍ୟାତ ବୈଜ୍ଞାନିକ ନର୍ମାନ ଇବୋରଲାଗଙ୍କୁ ପରେ ପରେ ଏମ୍‌ଏସ୍ ସ୍ୱାମୀନାଥନ୍‌ଙ୍କ ମାନସ ସନ୍ତାନ ଭାବେ ଜନ୍ମ ନେଲା ସବୁଜବିପ୍ଲବ ଯାହା ଭାରତୀୟ କୃଷିକୁ ପ୍ରତିଷ୍ଠିତ କଲା ।

ବିଶ୍ୱସ୍ତରୀୟ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥନ୍ ଥିଲେ । ଅନନ୍ୟ ପଦ୍ମଭୂଷଣ , ପଦ୍ମ ବିଭୂଷଣ ସହିତ ସର୍ବଶ୍ରେଷ୍ଠ ୱାଲର୍ଡ ଫୁଡ ପ୍ରାଇଜ୍ ଏବଂ ଏମିତିକି ଶତାଧିକ ସମ୍ମାନ ଲାଭ କରି ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । କେବଳ ସବୁଜ ବିପ୍ଲବ ନୁହେଁ ଅତ୍ୟାଧୁନିକ ଭାରତରେ ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥନ୍ ହିଁ ଚିରସବୁଜ ର ସୂତ୍ରପାତ କରିଛନ୍ତି ।

ଓଡିଶା ସହିତ ଏମ୍‌ଏସ୍ ସ୍ୱାମୀନାଥନ୍‌ଙ୍କ ସମ୍ପର୍କ ଥିଲା ଭିନ୍ନ ଓ ଅନନ୍ୟ । ନିଜର ବୃତିଗତ ଜୀବନର ଆରମ୍ଭରେ ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥନ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରରେ ଅନେକ ଦିନ ଧରି ଗବେଷଣା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ସହିତ ଓଡିଶାର କୋରାପୁଟ ଜିଲ୍ଲା ଜୟପୁର ଅଂଚଳରେ ଏମ୍‌ଏସ୍ ସ୍ୱାମୀନାଥନ୍ ଫାଉଣ୍ଡେସନ ପ୍ରତିଷ୍ଠିତ ହୋଇ କୃଷି ବିଜ୍ଞାନ ସମ୍ବଳିତ ଉନ୍ନତ ଗବେଷଣା ଦିଗରେ ଆଜି ବି କାର୍ଯ୍ୟରତ । କେନ୍ଦ୍ରପଡା ଜିଲ୍ଲାରେ ତଟବର୍ତି ଅଂଚଳରେ ଥିବା ହେନ୍ତାଳ ବନର ସୁରକ୍ଷା ଦିଗରେ ଅନେକ ବର୍ଷ ଧରି ଏମ୍‌ଏସ୍ ସ୍ୱାମୀନାଥନ୍ ଫାଉଣ୍ଡେସନ ର ଉଦ୍ୟମ ବାସ୍ତବିକ ଓଡିଶା ପ୍ରତି ତାଙ୍କର ବିଶେଷ ଦୃଷ୍ଟିଭଙ୍ଗୀ କୁ ସ୍ପଷ୍ଟ କରେ ।

ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ପ୍ରଫେସର ସ୍ୱାମୀନାଥନ ୯୮ ବର୍ଷରେ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କର ଜୀବନ ବ୍ୟାପି ଭାରତୀୟ କୃଷି ବିଜ୍ଞାନ ପ୍ରତି ଥିବା ଅମର ଅବଦାନ ସ୍ମୃତିଚାରଣ କରାଯାଇଛି । ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

କୃଷିମହାବିଦ୍ୟାଳୟର ସାମାଜିକ ଓ ସାଂସ୍କୃତିକ ଶାଖା “କ୍ରିଏଟିଭୋ” ପକ୍ଷରୁ ଆୟୋଜିତ ଏହି ସଭାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଫେସର ଏମ୍‌ଏସ୍ ସ୍ୱାମୀନାଥନ ଙ୍କ ଆଦର୍ଶ ବିଶ୍ୱସ୍ତରରେ ବୈଜ୍ଞାନିକ ମାନଙ୍କୁୁ ସବୁବେଳେ ପ୍ରବାହିତ କରିବ ବୋଲି ମତବ୍ୟକ୍ତ ଏବଂ ପ୍ରତ୍ୟେକ ବର୍ଷ ସ୍ୱାମୀନାଥନଙ୍କର ପୁଣ୍ୟତିଥି (ସେପ୍ଟେମ୍ବର ୨୮)କୁ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ବ୍ୟାପକ ସ୍ତରରେ ପାଳନ କରାଯିବ ବୋଲି କହିଥିଲେ ।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସ୍ୱାମୀନାଥନଙ୍କ ପଥରେ ପ୍ରେରିତ ହେବା ଉଚିତ ବୋଲି କହିଥିଲେ ।

କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ଏବଂ ସୋଆର ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ଡଃ ପ୍ରିୟବ୍ରତ ପଟ୍ଟନାୟକ ଏହି ସଭାରେ ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ସ୍ୱାମୀନାଥନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ପ୍ରଫେସର ସ୍ୱାମୀନାଥନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । “କ୍ରିଏଟିଭୋ”ର ମୁଖ୍ୟ ସଂଯୋଜକ ଡଃ ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

କୃଷି ମହାବିଦ୍ୟାଳୟର “କ୍ରିଏଟିଭୋ” ପକ୍ଷରୁ ପ୍ରଫେସର ସ୍ୱାମୀନାଥନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହା ସହିତ ସୋଆ ରେଡ଼ିଓରେ ସ୍ୱାମୀନାଥନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଫେସର ଭବେନ୍ଦ୍ର ବୈଶାଖ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ବିଜୟ କୁମାର ମିଶ୍ର, ପ୍ରଫେସର ରାଜୁ ମିଶ୍ର ଓ ଅନ୍ୟ ବରିଷ୍ଠ ପ୍ରଫେସରମାନେ ସ୍ୱାମୀନାଥନଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିବା ସହ କୃଷି ମହାବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ବିଶେଷ କରି “କ୍ରିଏଟିଭୋ” ଶାଖାର ସବୁ ସଭ୍ୟମାନେ ଯୋଗ ଦେଇଥିଲେ । ଶ୍ରୀମତି ଲୋପମୁଦ୍ରା ମହାନ୍ତି, ରାଜୀବ କୁମାର ବେହେରା, ଡଃ ରାକେଶ ରୋଶନ ଶତପଥୀ, ମାନସ ଦାସ, ଡଃ ବିଷ୍ଣୁପ୍ରିୟା ପାତ୍ର ଓ ସୁବ୍ରତ କୁମାର ସେନାପତି ଏହି ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.