xmas

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନ ରଘୁବର ନେବେ।

ଭୁବନେଶ୍ବର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ। ସେ ଓଡ଼ିଶାର ରାଜ୍ୟପାଳ ହେବେ। ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପଦରେ ନିଯୁକ୍ତ କରିଛନ୍ତି।

ଏବେ ଓଡ଼ିଶାର ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନ ରଘୁବର ନେବେ। ପ୍ରଫେସର ଗଣେଶୀ ଲାଲ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୩ ମେ’ ମାସରେ ଶେଷ ହୋଇଥିଲା। ଏହାପରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ହେଲେ ରାଷ୍ଟ୍ରପତି ମୁର୍ମୁ ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶ୍ରୀ ଦାସଙ୍କ ନାଁ ଉପରେ ମୋହର ମାରିଛନ୍ତି।

୬୯ ବର୍ଷୀୟ ଶ୍ରୀ ଦାସ ୧୯୫୫ ମସିହାରେ ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିବା ରଘୁବରଙ୍କ ଝାଡ଼ଖଣ୍ଡ ରାଜନୀତିରେ ବେଶ ଦବଦବା ରହିଥିଲା । ରଘୁବର ଦାସ ଜାମସେଦପୁର କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ। ୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହି ଆସନରୁ ସେ ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ଥିଲେ। ବର୍ତ୍ତମାନ ସେ ଜାତୀୟ ବିଜେପିର ଉପସଭାପତି ପଦରେ ଅଛନ୍ତି । ଏତଦ୍‌ ବ୍ୟତୀତ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହା ପୂର୍ବରୁ ରଘୁବର ଦାସ ଟାଟା ଷ୍ଟିଲର ଜଣେ କର୍ମଚାରୀ ଥିଲେ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିପୁରାର ରାଜ୍ୟପାଳ ଭାବେ ଇନ୍ଦରସେନା ରେଡ୍ଡୀ ନାଲ୍ଲୁଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଇନ୍ଦରସେନା ହେଉଛନ୍ତି ତେଲେଙ୍ଗାନା ବିଜେପିର ଜଣେ ବରିଷ୍ଠ ନେତା। ସେ ୩ଥର ବିଧାୟକ ମଧ୍ୟ ହୋଇଥିଲେ। ଏଥିସହ ସେ ଏବେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ପଦରେ କାର୍ଯ୍ୟ କରୁଛନ୍ତି। 

Leave A Reply

Your email address will not be published.