xmas

କେନ୍ଦ୍ରୀୟ ଡେପୁଟେସନରୁ ଫେରିଲେ ବି.ରାଧିକା, ହେବେ ପରବର୍ତ୍ତୀ ପୁଲିସ ଡିଜି

ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡରକୁ ଫେରାଇ ଦେଇଛନ୍ତି ।

ଭୁବନେଶ୍ୱର: ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକା ରାଜ୍ୟ ପୁଲିସର ପରବର୍ତ୍ତୀ ମୁଖିଆ ହେବେ । ଓଡ଼ିଶାକୁ ପ୍ରଥମଥର ପାଇଁ ଜଣେ ମହିଳା ଡିଜିପି ମିଳିବେ । କେନ୍ଦ୍ର ସରକାର ବି.ରାଧିକାଙ୍କ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବାପରେ ଏହି ସମ୍ଭାବନା ଜୋର୍ ଧରିଛି । ବର୍ତ୍ତମାନର ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଡିସେମ୍ବର ୩୧ରେ ଶେଷ ହେଉଛି ।

ସୂଚନା ଅନୁସାରେ, ରାଧିକାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ । ୨୦୧୮ ଅକ୍ଟୋବରରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ରାଧିକା ୨୦୨୦ ନଭେମ୍ବରରେ ସୀମା ସୁରକ୍ଷା ବଳର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ସରକାରୀ ଚାକିରିରୁ ୨୦୨୪ ଜୁଲାଇରେ ଅବସର ନେବେ । ଅବସର ନେବାକୁ ଆଉ ମାତ୍ର ୮ମାସ ଥିବାବେଳେ ତାଙ୍କୁ ନିଜ କ୍ୟାଡ଼ରକୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି । ବରିଷ୍ଠତା ଭିତ୍ତିରେ ଆଇପିଏସ୍ ରାଧିକାଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜି ଭାବେ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ଓଡ଼ିଶା ପୁଲିସ ଇତିହାସରେ ଏପର୍ଯ୍ୟନ୍ତ ୩୫ଜଣ ଡିଜିପି କାର୍ଯ୍ୟ କରିଥିଲେ ମଧ୍ୟ ଏଥିରେ କେହିବି ମହିଳା ନାହାନ୍ତି । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା କାର୍ଡ ଖେଳୁଥିବାରୁ ରାଧିକାଙ୍କୁ ଓଡ଼ିଶାର ପ୍ରଥମ ମହିଳା ଡିଜିପି କରିବାର ସମ୍ଭାବନା ଅଧିକ ରହିଛି ।

ବରିଷ୍ଠତା ଦୃଷ୍ଟିରୁ ବର୍ତ୍ତମାନର ଡିଜି ଶ୍ରୀ ବଂଶଲଙ୍କ ପରେ ୧୯୮୮ ବ୍ୟାଚ ଆଇପିଏସ୍ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ପ୍ରାଣବିନ୍ଦୁ ଆଚାର୍ଯ୍ୟ ଓ ଅମ୍ରିତ ମୋହ ପ୍ରସାଦଙ୍କ ପରେ ରାଧିକା ରହିଛନ୍ତି । ଅରୁଣ କୁମାର ରାୟଙ୍କ ଉପରେ ରାଜ୍ୟ ସରକାରଙ୍କ କୋପ ଦୃଷ୍ଟି ପଡ଼ିଥିଲା ଓ ଗତ ଏପ୍ରିଲ ମାସରେ ତାଙ୍କୁ ଅଚାନକ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ । ଯଦିଓ ଇତିମଧ୍ୟରେ ଅରୁଣ ରାୟଙ୍କୁ ସରକାର ରାଜ୍ୟ ଟେଷ୍ଟବୁକ୍ ପ୍ରେସ୍ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ଅମ୍ରିତ ମୋହନ ପ୍ରସାଦ ଏବେ ଜେଲ୍ ଡିଜି ଓ ପ୍ରାଣବିନ୍ଦୁ ଓଏଚଆରସି ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ପ୍ରାଣବିନ୍ଦୁ ଆସନ୍ତା ମେ’ ମାସରେ ସରକାରୀ ଚାକିରୀରୁ ଅବସର ନେବେ । ଅରୁଣ ଓ ଅମିତ୍ର ୨୦୨୫ରେ ଅବସର ନେବେ । ଏହି ୩ ଆଇପିଏସଙ୍କ ପରେ ବରିଷ୍ଠତା ଭିତ୍ତିରେ ରାଧିକାଙ୍କ ନାଁ ଆସୁଛି ।

୧୯୬୪ ଜୁଲାଇ ୪ତାରିଖରେ ଆନ୍ଧ୍ରପ୍ରଦେଶରେ ଜନ୍ମିତ ରାଧିକାଙ୍କ ପ୍ରଶାସକ ସ୍ୱାମୀ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମା ଅବସର ନେଇ ଏବେ ଦିଲ୍ଲୀରେ ରହୁଛନ୍ତି । ଅବସରକୁ ଆଉ ମାତ୍ର ୮ମାସ ବାକିଥିବାବେଳେ ରାଧିକାଙ୍କ ଡେପୁଟେସନ ଅବଧିକୁ କେନ୍ଦ୍ର ସରକାର ସମାପ୍ତ କରି ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେଇଛନ୍ତି । ରାଧିକାଙ୍କ ବିନା ସମ୍ମତିରେ ତାଙ୍କୁ ରାଜ୍ୟ କ୍ୟାଡ଼ରକୁ ଫେରସ୍ତ କରାଯିବାର ସମ୍ଭାବନା କ୍ଷୀଣ । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସମ୍ମତିରେ ରାଧିକା ଓଡ଼ିଶା ଫେରିଥିବା ପ୍ରଶାସନିକ ମହଲରେ ଚର୍ଚ୍ଚା ହେଉଛି ।

ତେବେ ରାଧିକାଙ୍କୁ ଡିଜିପି କରିବା ନିମନ୍ତେ ରାଜ୍ୟ ସରକାର ଗଳାବାଟ ନେଇଛନ୍ତି ନା ୟୁପିଏସସିଙ୍କ ମାଧ୍ୟମରେ ଚୟନ ପ୍ରକ୍ରିୟା କରିଛନ୍ତି ତାହା ଜଣାପଡ଼ିନି । ଅବଶ୍ୟ ସୁପ୍ରିମକୋର୍ଟଙ୍କ ରାୟର ୧୭ବର୍ଷ ପରେ ବି ଡିଜିପି ଚୟନ ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଓଡ଼ିଶା ସରକାର ପାଳନ କରିବାରେ ଆନ୍ତରିକତା ଦେଖାଇନାହାନ୍ତି ।

ସୂଚନାଯୋଗ୍ୟ, ରାଧିକା ଓଡ଼ିଶା ପୁଲିସରେ ବିଭିନ୍ନ ଜିଲ୍ଲାର ଏସପିଠୁ ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ ପଦକ ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.