xmas

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବା ଆଶଙ୍କା

ଭୁବନେଶ୍ୱର, ୧୫ ନଭେମ୍ବର: ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଥିବା ବେଳେ ବୁଧବାର ପାରାଦୀପ ଠାରୁ ଦକ୍ଷିଣ -ପୂର୍ବ ପ୍ରାୟ ୬୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରାରମ୍ଭିକ ତଥ୍ୟାନୁଯାୟୀ ଶୁକ୍ରବାର ଏହା ଉତର-ପଶ୍ଚିମ ଦିଗରେ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ଥିବାବେଳେ ପରବର୍ତୀ କାଳରେ ଗଭୀର ଅବପାତର ରୂପ ନେଇ ପାରେ ବୋଲି ସିଇସି ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ କହିଛି ।

ପରେ ଏହାର ଗତିପଥରେ ପରିବର୍ତନ ହେବା ସହ ଉତର କିମ୍ବା ଉତର-ପୂର୍ବ ଦିଗକୁ ଗତି କରି ଓଡ଼ିଶା ଉପକୂଳ ମୁହାଁ ହେବା ସହ ନଭେମ୍ବର ୧୭ରେ ଏକ ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସମୁଦ୍ରରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୯୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ତେବେ ପୁରୀ, ଜଗତସିଂହପୁର ଏବଂ ଭଦ୍ରକ ଜିଲ୍ଲା ଉପକୂଳରେ ପବନର ବେଗ ଏହି ସମୟରେ ଘଂଟା ପ୍ରତି ୫୫ ରୁ ୭୦ କିଲୋମିଟର ରହିପାରେ ବୋଲି କୁହାଯାଇଛି ।

ନଭେମ୍ବର ୧୮ତାରିଖ ସକାଳେ ବାଲେଶ୍ୱର ଉପକୂଳ ଠାରୁ କିଛି ଦୂରରେ ରହିବ ଯେଉଁ ସମୟରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୫ କିଲୋମିଟର ରହିବାର ସମ୍ଭାବନା ରହିଛି । ତେବେ ଏହି ସମୟରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ପବନର ବେଗ କମ୍ ରହିବ ।
ଏହାର ପ୍ରଭାବରେ ନଭେମ୍ବର ୧୫ ରାତିରୁ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ମଧ୍ୟମରୁ ଭାରି ବର୍ଷା ଜାରି ରହିବ । ତେବେ ନଭେମ୍ବର ୧୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କାରଣ ଏହି ସିଷ୍ଟମ ସାରାଦିନ ଭଦ୍ରକ ଉପକୂଳରେ ସ୍ଥ୍‌ିର ରହିବ । ନଭେମ୍ବର ୧୬ ଏବଂ ୧୭ ତାରିଖରେ ଭୁବନେଶ୍ୱରରେ ୪୦ ରୁ ୬୦ ମିଲିମିଟର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଖୋର୍ଦ୍ଧାରେ ୩୦ ରୁ ୪୫ ମିମି ର ବର୍ଷା ହୋଇପାରେ ।

ନଭେମ୍ବର ୧୬ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର , ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ୨୪ ଘଂଟା ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.