xmas

ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି: ରାଷ୍ଟ୍ରପତି

ସମ୍ବଲପୁର ବ୍ରହ୍ମକୁମାରୀଙ୍କର ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ ଅଭିଯାନର ଶୁଭାରମ୍ଭ

ସମ୍ବଲପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୨, ୨୦୨୩) ସମ୍ବଲପୁରସ୍ଥିତ ବ୍ରହ୍ମକୁମାରୀମାନଙ୍କର ଶିକ୍ଷା ଅଭିଯାନ ‘ନୂତନ ଭାରତ ପାଇଁ ନୂତନ ଶିକ୍ଷା’ର ଶୁଭାରମ୍ଭ କରିଛନ୍ତି। ଉନ୍ନତ ସମାଜ ପାଇଁ ମୂଲ୍ୟବୋଧ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କ ଚେତନାକୁ ଉନ୍ନତ କରିବା ନିମନ୍ତେ ଏହି ଅଭିଯାନର ପରିକଳ୍ପନା କରାଯାଇଛି।  ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ସମାଜ ଗଠନରେ ଶିକ୍ଷା ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଆସିଛି। ସେବା, ସମାନତା ଓ ସହାନୁଭୂତି ଭଳି ନୈତିକ ଏବଂ ମାନବିକ ମୂଲ୍ୟବୋଧ ଆମ ସଂସ୍କୃତିର ମୂଳଦୁଆ ଏବଂ ଯୁବପିଢ଼ି ଏହି ମହାନ ଆଦର୍ଶ ସହିତ ପରିଚିତ ହେବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ। ଏକ ଉନ୍ନତ ସମାଜ ଗଠନ ପାଇଁ ସେମାନେ ନିଜ ବୃଦ୍ଧ ପିତାମାତା ଏବଂ ସମାଜର ବଞ୍ଚିତ ବର୍ଗର ଲୋକଙ୍କ ଯତ୍ନ ନେବା ଉଚିତ୍ । ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଏହି ମୂଲ୍ୟବୋଧ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହେବା ଦରକାର ବୋଲି ସେ କହିଛନ୍ତି।

ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ବୁଧବାର ସମ୍ବଲପୁର ଶାସନ ପାବନ ସରୋବର ଠାରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ”ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଅଭିଯାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା । ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା । ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ସମ୍ବଲପୁରରୁ ଆରମ୍ଭ ହେବା ଖୁସିର ବିଷୟ ।

ଦେଶରେ ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ୩ ରୁ ୨୩ ବର୍ଷ ବୟସର ପ୍ରାୟ ୫୦ କୋଟି ନାଗରିକ ଅଛନ୍ତି । ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜ୍ ହେଉଛି ସେମାନଙ୍କୁ ଆମେ ମନୁଷ୍ୟ କରିବା ନା ମେସିନ୍ ବନାଇବା ? ଆଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦରକାର ନା ଏଚଆଇ ବା ହୁମ୍ୟାନ ଇଣ୍ଟେଲିଜେନ୍ସ ଦରକାର । ଏହାର ଗୋଟିଏ ସୂତ୍ର ଆଧ୍ୟାତ୍ମିକତା । ଭାରତକୁ ଏକବିଂଶ ଶତାବ୍ଦୀରେ ଭବ୍ୟ ଓ ବିକଶିତ କରିବାର ଚାବିକାଠି ହେବା ଶିକ୍ଷା । ଦେଶରେ ସମାନତା ଓ ଦାରିଦ୍ୟକୁ ମୂଳତ୍ପାଟନ କରିବାର ଏକମାତ୍ର ପୁଞ୍ଜି ଶିକ୍ଷା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମାଜରେ ନିରନ୍ତର ଶିକ୍ଷା ଜାରୀ ରଖିବାର ପରମ୍ପରା ପ୍ରଶଂସନୀୟ ।

ରାଷ୍ଟ୍ରପତି କହିଥିଲେ ଯେ ନୈତିକ ଶିକ୍ଷା ଆମ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ନୈତିକ ଶିକ୍ଷା ଆମକୁ କରୁଣା, ଦୟା, ବନ୍ଧୁତା ଏବଂ ଭାଇଚାରାର ଜୀବନ ମୂଲ୍ୟବୋଧ ବିଷୟରେ ସଚେତନ କରେ। ଏହି ଗୁଣଥିବା ବ୍ୟକ୍ତି ମାନଙ୍କ ଠାରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ। ବ୍ୟକ୍ତି ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ ଫଳରେ ଉନ୍ନତ ସମାଜ ଗଠନ ହୋଇପାରିବ। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଚରିତ୍ର ନିର୍ମାଣ, ଆତ୍ମ ଅନୁଭବ ଓ ଦିବ୍ୟ ଅନୁଭୂତି ମାଧ୍ୟମରେ ସୁଖ, ଶାନ୍ତି ଓ ଆନନ୍ଦର ମାର୍ଗକୁ ସୁଗମ କରୁଛି ବୋଲି ସେ କହିବା ସହିତ ଆନନ୍ଦ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ।

Leave A Reply

Your email address will not be published.