xmas

ଜିଲ୍ଲାର ଲୋକ କଳାକାରଙ୍କୁ ନେଇ ଆୟୋଜିତ ହେଲା ଲୋକ ନୃତ୍ୟ ପ୍ରତିଯୋଗିତା

ମାଲକାନଗିରି, ୦୯/୧୨/୨୩: ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିଶାଲ ସିଂ ଙ୍କ ତତ୍ତ୍ଵାବଧାନରେ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ରାବା କହିଥିଲେ ଯେ ପାରମ୍ପାରିକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆମ ସମସ୍ତଙ୍କର ଉତ୍ତର ଦାୟିତ୍ଵ ରହିଛି ଏବଂ ଏହାକୁ ପ୍ରଦର୍ଶନ କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମଞ୍ଚ। ସେହିପରି ନିଜର ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇବାକୁ ହେଲେ ସମସ୍ତଙ୍କୁ ନିଜର ପାରମ୍ପାରିକ କଳାକୁ ପ୍ରଦର୍ଶନ କରିବାକୁ ପଡ଼ିବ ଏବଂ ଅନ୍ୟ ମାନଙ୍କୁ ଏଥି ନିମନ୍ତେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ସାଂସ୍କୃତିକ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ସ୍ଵାଗତ ଭାଷଣ ପ୍ରଦାନ କରି ଲୋକ ନୃତ୍ୟ ପ୍ରତିଯୋଗିତା ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ମତ ରଖିବା ସହ ଜିଲ୍ଲାପାଳଙ୍କ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ୧୧ଟି ଲୋକ ନୃତ୍ୟ ଦଳର ୩୦୦ରୁ ଅଧିକ କଳାକାର ଏଥିରେ ଭାଗ ନେଇଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ମାଥିଲି ବ୍ଲକର ମହୁପଦର୍ ଗ୍ରାମର ଦୁରୁଆ ନୃତ୍ୟ ପ୍ରଥମ, ପଡ଼ିଆ ବ୍ଲକର ଇରାଲଗୁଣ୍ଡି ଗ୍ରାମର କୋୟା ଦ୍ଵିତୀୟ ଓ ମାଲକାନଗିରି ବ୍ଲକର ଗଡଙ୍ଗୀ ନୃତ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ମାଲ୍ୟବନ୍ତ ମୁଖ୍ୟ ଉତ୍ସବରେ ପରିବେଷଣ କରିବେ। ବିଚାରକ ଭାବେ ଘେନୁ ମୁଦୁଲି, ଶ୍ରୀତମ ସାମନ୍ତରାୟ ଓ ସୁରେଶ ରାଉତ ଯୋଗ ଦେଇଥିଲେ। ଶ୍ୟାମ ସୁନ୍ଦର ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିୟୋଜନ ଅଧିକାରୀ, ମନସ୍ଵି ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ, ପୂର୍ଣ୍ଣିମା ଡୁରୁକା,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରଭାତୀ ଝଡିଆ ଓ ଶଶାଙ୍କ କୁମାର ମିଶ୍ର ଉପସ୍ଥିତ ଥିଲେ।

Leave A Reply

Your email address will not be published.