xmas

ମାନ୍ୟବର ରାଜ୍ୟପାଳଙ୍କ ଦିନିକିଆ ମାଲକାନଗିରି ଗସ୍ତ

ନାରୀ ସଶକ୍ତିକରଣ ହେଲେ ଦେଶ ଓ ସମାଜ ସଶକ୍ତ ହେବ: ରାଜ୍ୟପାଳ

ମାଲକାନଗିରି, ୨୦/୧୨/୨୩: ଦେଶର ଶକ୍ତି ନାରୀ। ନାରୀ ସଶକ୍ତିକରଣ ହେଲେ ଦେଶ ଓ ସମାଜ ସଶକ୍ତ ହେବ ବୋଲି ମାଥିଲିର ପାଙ୍ଗାମ ଗ୍ରାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଉଦବୋଧନ ପ୍ରଦାନ କରି ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ଏସଏଚଜି ମାନଙ୍କର ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ କ୍ରୟ କରି ମାଆ ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବାରେ ସହାୟତା କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସହରର ସମସ୍ତ ସୁବିଧା ସୁଯୋଗ ଗାଁ ପର୍ଯ୍ୟନ୍ତ ପହଞ୍ଚିବା ଦରକାର। ଏଥିରେ ସରକାର, ଶାସନ ବ୍ୟବସ୍ଥା ସହ ପ୍ରତ୍ୟେକ ନାଗରିକଙ୍କ ସମାଜ ପ୍ରତି ଉତ୍ତରଦାୟିତ୍ଵ ରହିଛି। ସେ ଆହୁରି ମଧ୍ୟ କହିଥିଲେ ଜନ ମଙ୍ଗଳ ପାଇଁ ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚିବା ଦରକାର। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଭଳି ଅନେକ ଯୋଜନା ବିଷୟରେ ଆଲୋକପାତ କରିଥିଲେ।

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଦୃଢ଼ ପରିଶ୍ରମ କରି ଲକ୍ଷ୍ୟ ପ୍ରାପ୍ତି କରିବାକୁ ପଡ଼ିବ । ଛାତ୍ରଛାତ୍ରୀ ଚାପମୁକ୍ତ ହୋଇ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେବା ସହ ଅଭିଭାବକ ମାନେ ସନ୍ତାନ ମାନଙ୍କୁ କୌଣସି ପ୍ରକାର ଚାପ ନପକାଇବା ରାଜ୍ୟପାଳ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଆୟୋଜିତ ସଭା କାର୍ଯ୍ୟରେ ଯୋଗ ଦେଇ ବାର୍ତ୍ତା ଦେଇଛନ୍ତି । ସେହିପରି ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏହି ଅବସରରେ ସେ ଅନ୍ତେବାସୀଙ୍କୁ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। କହିଥିଲେ ଭାରତ ଯୁବଶକ୍ତିର ଦେଶ। ତେଣୁ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ସ୍କିଲ ପ୍ରଶିକ୍ଷଣ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଛୋଟ ଛୋଟ ଘଟଣାରେ କାରାଜୀବନ ବିତାଉଥିବା ବନ୍ଦୀମାନେ ଯେପରି ଖଲାସ ହୋଇପାରିବେ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟପାଳ ମାଥିଲି ଡାକ୍ତରଖାନା ଗସ୍ତ କରି ୱାର୍ଡ ବୁଲିବା ସହ ରୋଗୀଙ୍କ ସହ ଆଲୋଚନା କରି ଚିକିତ୍ସା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ରାଜ୍ୟପାଳ କୁମ୍ଭାରଗୁଡାର କୁମ୍ଭକାରଙ୍କ ୟୁନିଟ ବୁଲି ଦେଖିବା ସହ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି। ସେହିପରି ଚାଲାଣଗୁଡ଼ାଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦେଖିବା ସହ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ବିଶାଲ ସିଂ, ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱନିଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.