ଭୁବନେଶ୍ୱର, ୮/୦୧: ଜୈବ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହିଁ ବିଜ୍ଞାନର ନୂଆ ଯୁଗ । କୃଷି ବିଜ୍ଞାନ ତଥା ବିଜ୍ଞାନର ଅନ୍ୟାନ୍ୟ ବିଭାଗ ବିଶେଷ କରି ଉଦ୍ଭିଦର ଜୀବନ ଚକ୍ରକୁ ନେଇ ବିଭିନ୍ନ ଅନାଲୋଚିତ ଦିଗ ଲୋକଲୋଚନକୁ ଆସିବା ପଛରେ ଜୈବ ପ୍ରଯୁକ୍ତି ବିଦ୍ୟା ହିଁ ଦାୟୀ । କୃଷି ବିଜ୍ଞାନ କ୍ଷେତ୍ରରେ ତୃଣ ନାଶକର ପ୍ରୟୋଗ ଓ ଫସଲରେ ତୃଣ ନାଶକ ସହଣୀ ଶକ୍ତିର ଅଭିବୃଦ୍ଧି ଫସଲର ବୃଦ୍ଧି ପରସ୍ପର ପରିପୂରକ । ଉଦ୍ଭିଦର କୋଷରେ ଥିବା ବିଭିନ୍ନ ଡିଏନ୍ଏ ତଥା ଜିନ୍ ହିଁ ସହଣୀ ଶକ୍ତି ବୃଦ୍ଧି ପାଇଁ ଦାୟୀ ବୋଲି ସୋମବାର ଦିନ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରେ ଅନୁଷ୍ଠିତ ଏକ ବିଶେଷ କାର୍ଯ୍ୟକ୍ରମରେ ଅଷ୍ଟ୍ର୍ରିଆ ସ୍ଥିତ ଆନ୍ତର୍ଜାତିକ ଗ୍ରେଗର୍ ମେଣ୍ଡେଲ୍ ଆଣବିକ ଜୀବ ବିଜ୍ଞାନ (ଜିଏମ୍ଆଇ) ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଲିଆମ୍ ଦୋଲାନ୍ ଏହି ମତବ୍ୟକ୍ତ କରିଛନ୍ତି ।
ସୋଆ ଓ ନାଇଜରର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ ଓ ପ୍ରଫେସର ଲିଆମ୍ଙ୍କ ଉଦ୍ବୋଧନ ଆଜି ପାଇଁ ଏକ ବୈଜ୍ଞାନିକ ଆହ୍ୱାନ ବୋଲି କହିଥିଲେ ।
ସେହିପରି ସୋଆ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ମୁଖ୍ୟ ପ୍ରଫେସର ଜ୍ଞାନ ରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରି ପ୍ରଫେସର ଲିଆମଙ୍କ ଗବେଷଣାତ୍ମକ କୃତି ବିଷୟରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ , ରାଜ୍ୟର ବିଭିନ୍ନ ଗବେଷଣା ପ୍ରତିଷ୍ଠାନରୁ ଯୋଗ ଦେଇଥିବା ଅନେକ ବୈଜ୍ଞାନିକ, ପ୍ରଫେସର ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ଡ. ଅଂଶୁମାନ ଜେନା, ଡ. ମଧୁସ୍ମିତା ଦାସଗୁପ୍ତା, ଡ. ସଂଶୁତା ମହାନ୍ତି, ପ୍ରମୁଖ ପରିଚାଳନା କରିଥିଲେ ।