ମାଲକାନଗିରି ତା ୦୭/୦୨/୨୪: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପ୍ରହସନ ପାଲଟିଛି । ପୂର୍ବରୁ ସଂପୃକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହା ସଫଳତା ହାସଲ କରି ନ ଥିବାରୁ ପୁନଃର୍ବାର ଆୟୋଜନ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ତେବେ ଆଜି ଚିତ୍ରକୋଣ୍ଡା ବ୍ଲକର ସଦର ପଞ୍ଚାୟତ ଓ ଦୋରାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯିବାକୁ ଥିବା ବେଳେ ଚିତ୍ରକୋଣ୍ଡାଠାରେ ଏହାକୁ କିଛି କାରଣ ଦର୍ଶାଇ ବାତିଲ କରାଯାଇଥିବା ବେଳେ ଦୋରାଗୁଡା ପଞ୍ଚାୟତରେ କେବଳ ୩୦ ଜଣଙ୍କୁ ନେଇ ତରବରିଆ ଭାବେ ଆୟୋଜିତ ହୋଇଛି ।
ଦୋରାଗୁଡା ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚ ଭଗବତୀ ନାୟକ, ନାଏବ ସରପଞ୍ଚ ଅର୍ଜୁନ ହନ୍ତାଳ ଓ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ମାଡକାମୀ ଓ ସମସ୍ତ ୱାର୍ଡମେମ୍ବର ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନ କରିଥିଲେ । ଏଥିସହ ଏ ଅବସରରେ ସମସ୍ତଙ୍କୁ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ସହ ଉଜ୍ଜ୍ୱଳା ଯୋଜନାରେ ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏଥିସହ ବିଭିନ୍ନ ବିଭାଗର ଷ୍ଟଲ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯାଇ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାର ନିୟମ ରହିଛି। କିନ୍ତୁ କୌଣସି ନିୟମ ପାଳନ କରାଯାଇ ନ ଥିବା ଦେଖାଯାଇଛି । ଏଥି ସଙ୍ଗେ ସଙ୍ଗେ ଏଲ ଇ ଡି ଭେନ ମାଧ୍ୟମରେ କେଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବାର ବ୍ୟବସ୍ଥା ଥିବା ବେଳେ ଉକ୍ତ ଭେନ ମଧ୍ୟ ସମୟ ମଧ୍ୟରେ ପହଂଚିନାହିଁ। ଏହାବ୍ୟତୀତ ପୂର୍ବ କାର୍ଯ୍ୟକ୍ରମରେ ଯେଉଁମାନେ ଉଜ୍ଜ୍ୱଳା ଗ୍ୟାସ ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ମଧ୍ୟ ବର୍ତମାନ ସୁଦ୍ଧା ଗ୍ୟାସ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ତେବେ ଏହି କାର୍ଯ୍ୟକ୍ରମ ଅପରାହ୍ନରେ ଆୟୋଜନ ପାଇଁ ନିର୍ଦ୍ଧାରିତ ହୋଇଥିବା ବେଳେ କାହା ସ୍ୱାର୍ଥରେ ପୂର୍ବାହ୍ନରେ ଶେଷ କରାଯାଇଛି ବୋଲି ପ୍ରଶ୍ନ ଉଠିଛି ।