ମାଲକାନଗିରି ମହାବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ପାଳିତ

ମାଲକାନଗିରି, ୧୩/୦୨/୨୪: ମାଲକାନଗିରି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ତେୟାଳିଶିତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନସ ମାଡକାମୀ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କୁ ଭଲପାଠ ପଢି ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ l ସମ୍ମାନିତ ଅତିଥି ମାଲକାନଗିରି ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡକ୍ଟର ଉଦୟନାଥ ଖରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଦେଶର ସମ୍ପତ୍ତି କହି ଉଦବୋଧନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ମହାବିଦ୍ୟାଳୟ ଛାତ୍ର ସଂସଦ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଭାର ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି l ସହକାରୀ ଉପଦେଷ୍ଟା ଗୌତମ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l ପ୍ରିୟଦର୍ଶିନୀ ପ୍ରଧାନ ଏବଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି l ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଅତିଥି ମାନଙ୍କୁ ମାଲକାନଗିରି ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ଦାବୀ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ସଭା କାର୍ଯ୍ୟକୁ ଆଗକୁ ନେଇଥିଲେ l ଏହି ଅବସରରେ ପୂର୍ବତନ ଛାତ୍ର ସଂସଦର ସଭାପତି ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅଶୋକ କୁମାର ଷଡ଼ଙ୍ଗୀ, ଉମେଶ ଚନ୍ଦ୍ର ରାଉତ, ପ୍ରେମରେଖା ଭତ୍ରା, ଲିପ୍ସାରାଣୀ ନାୟକ, ସୁଶାନ୍ତ ମାଝୀ, ତପନ କୁମାର ବେହେରା, ପ୍ରମେୟ କୁମାର ମହାନ୍ତି, ସୀତାଂଶୁ ମାଳିନୀ ପରିଡା, ଆରତୀ ଲୁଗୁନଙ୍କ ସହିତ ଅନ୍ୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସଭା ଶେଷରେ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ l

Leave A Reply

Your email address will not be published.