ସରିଲା ନବୀନ ନିବାସରେ ବୈଠକ; ମେଣ୍ଟକୁ ନେଇ ମୁଁହ ଖୋଲିଲେନି ଦେବୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଂଟ ଚର୍ଚ୍ଚାକୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲିଦେଇଛି । ଏସବୁ ମଧ୍ୟରେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ଓ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ରଣନୀତିକୁ ନେଇ ବିଚାରବିମର୍ଶ କରିଛନ୍ତି । ମାତ୍ର ନେତୃତ୍ୱ ସମ୍ଭାବ୍ୟ ମେଂଟକୁ ନେଇ କୌଣସି ସୂଚନା ଦଳୀୟ ନେତାମାନଙ୍କୁ ଦେଇନଥିବାରୁ ସସପେନ୍ସ ବଜାୟ ରହିଛି।

ଆଜି ବିଜେଡିର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ପ୍ରାୟ ୩୦ରୁ ଅଧିକ ବରିଷ୍ଠ ନେତା ଏହି ବୈଠକରେ ଉପସ୍ଥିତ ଥିଲେ । ବୈଠକ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା । ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ଦଳର ବରିଷ୍ଠ କର୍ମକର୍ତ୍ତା ଓ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଜିଲ୍ଲାୱାରି ସାଂଗଠନିକ କାର୍ଯ୍ୟକ୍ରମ ଓ ନିର୍ବାଚନୀ ରଣକୌଶଳ ଆଦି ଉପରେ ସବିଶେଷ ରିପୋର୍ଟ ଦେଇଛନ୍ତି । ଦଳୀୟ ନେତାମାନେ ନିଜର ମତାମତ ମଧ୍ୟ ରଖିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ମେଂଟ ପ୍ରସଙ୍ଗରେ ପ୍ରଶ୍ନକୁ ଶ୍ରୀ ମିଶ୍ର ଏଡ଼ାଇ ଯାଇଥିଲେ ।

ଗତ କିିଛିଦିନ ଧରି ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିବାବେଳେ ବିଜେପି ପକ୍ଷରୁ ଆସୁଥିବା ବୟାନ ହିଁ ରାଜ୍ୟରେ ମେଂଟ ଚର୍ଚ୍ଚାକୁ ଅଧିକ ଚର୍ଚ୍ଚାରେ ରଖିଥିଲା । ଆଜି ନାଟକୀୟ ଢଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ବୟାନକୁ ନେଇ ୟୁ-ଟର୍ଣ୍ଣ ମାରିବା ଏବଂ ବିଜେଡି ନେତୃତ୍ୱ ମେଂଟ ସମ୍ପର୍କରେ ଅସମ୍ଭବ ନୀରବତା ବଜାୟ ରଖିବା ହିଁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଂଟ ହେବାର ସମ୍ଭାବନାକୁ ବଢ଼ାଇ ଦେଇଛି ।

Leave A Reply

Your email address will not be published.