ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ପରିବହନ ବିଭାଗର ବ୍ୟାପକ କାର୍ଯ୍ୟକ୍ରମ

ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ବିଭାଗ ସହ ମିଳିତ ଯାଞ୍ଚ

  • ସମସ୍ତ ନିର୍ଦ୍ଦେଶକୁ ତ୍ରୁଟିଶୂନ୍ୟ ଭାବେ ପାଳନ କରିବାକୁ ସମସ୍ତ ଆରଟିଓଙ୍କୁ ପରିବହନ କମିଶନରଙ୍କ ପରାମର୍ଶ
  • ପଡ଼ୋଶୀ ରାଜ୍ୟର ଆରଟିଓଙ୍କ ସହ ସମନ୍ୱୟ ରକ୍ଷା କରି ସୀମାବର୍ତ୍ତୀ ଜିଲ୍ଲାରେ କଡ଼ାକଡ଼ି ଚେକିଂ
  • ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ଗାଡ଼ିର କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବାଲଟ ସୁବିଧା

କଟକ, ୦୬/୦୪: ସାଧାରଣ ନିର୍ବାଚନକୁ ଚାପମୁକ୍ତ ଓ ଅବୈଧ ବଣ୍ଟନ ରୋକିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ନିର୍ଦ୍ଦେଶାବଳୀର ତ୍ରୁଟିଶୂନ୍ୟ କାର୍ଯ୍ୟକାରିତା ସଂପର୍କରେ ଆଜି ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ସମସ୍ତ ଆରଟିଓଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

 ଆଦର୍ଶ ଆଚରଣ ବିଧି ପରିପ୍ରେକ୍ଷୀର ଜାରି ନିର୍ଦ୍ଦେଶନାମା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ଓଡ଼ିଶା ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ) ପକ୍ଷରୁ ବିଭିନ୍ନ ବିଭାଗ ସହ ମିଳିତ ଭାବେ କଡ଼ାକଡ଼ି ଯାଞ୍ଚ ଜାରି ରହିଛି । ଏହି ଯାଞ୍ଚରେ ଆୟକର ବିଭାଗ(ଆଇଟି), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଉଭୟ ରାଜ୍ୟ ଓ କେନ୍ଦ୍ର ଦ୍ରବ୍ୟ ଏବଂ ସେବା କର ଆୟୁକ୍ତ(ଜିଏସଟି), ବାଣିଜ୍ୟ କର, ଅବକାରୀ ବିଭାଗ, ପୋଲିସ ବିଭାଗ ସାମିଲ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୧୪୨ରୁ ଅଧିକ ସ୍ଥାନରେ ୨୫,୬୧୦ରୁ ଊର୍ଦ୍ଧ୍ୱ ଗାଡ଼ି ଯାଞ୍ଚ ହୋଇଛି । ଏହି ଯାଞ୍ଚ ବେଳେ ବେଆଇନ ଭାବେ ଚାଲାଣ ହେଉଥିବା ମଦ, ଗଞ୍ଜେଇ, ନଗଦ ଟଙ୍କା, ଶାଢ଼ି, ଗ୍ୟାସ୍ ଷ୍ଟୋଭ୍, ଅଟୋମୋବାଇଲ ପାର୍ଟସ ଓ ଜୋତା ଆଦି ଜବତ ହୋଇଛି । ଏହା ସହ ୧୨,୮୪,୫୮୫ ଟଙ୍କାର ଚାଲାଣ କଟାଯାଇଛି । ବିଶେଷକରି, ଅନ୍ୟ ରାଜ୍ୟର ସୀମାରେ ଯାଞ୍ଚକୁ ବ୍ୟାପକ କରାଯାଇଛି । ସୀମାବର୍ତ୍ତୀ ରାଜ୍ୟର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ ସହ ଆମ ରାଜ୍ୟର ବାଲେଶ୍ୱର, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ଗଞ୍ଜାମର ଆଞ୍ଚଳିକ ପରିବହନ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ବିଭିନ୍ନ ଟିମ୍ ଗଠନ କରି ଉଭୟ ପଟରୁ ଆସୁଥିବା ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରୁଛନ୍ତି । ପ୍ରବେଶପଥଗୁଡ଼ିକରେ ଛାୟା ଚେକପୋଷ୍ଚ କରାଯାଇ ପ୍ରତିଦିନ ଯାଞ୍ଚ କରାଯାଉଛି ।  ୫ ତାରିଖ ସୁଦ୍ଧା ୨୭ କୋଟି ୭୨ ଲକ୍ଷ ଟଙ୍କାର ସାମଗ୍ରୀ ଉପରେ ଜରିମାନା କରାଯାଇଛି । ଏଠାରେ ସୂଚନାଯୋଗ୍ୟ, ଜଗତସିଂହପୁରରେ ଏକ ଗାଡ଼ିରୁ ନଗଦ ୨ ଲକ୍ଷ ଟଙ୍କା ଜବତ କରାଯାଇଛି ।  

 ଆଜିର ସମୀକ୍ଷା ବୈଠକରେ ରାଜ୍ୟ ପରିବହନ ପ୍ରାଧିକରଣର ସମସ୍ତ ଉଚ୍ଚ ଅଧିକାରୀ ଉପସ୍ଥିତ ରହିବା ସହ ରାଜ୍ୟର ସମସ୍ତ ଆରଟିଓ ଭିଡିଓ କନଫରେନସିଂରେ ଯୋଡ଼ି ହୋଇଥିଲେ । ଚାଲିଥିବା ଯାଞ୍ଚ କାର୍ଯ୍ୟକ୍ରମରେ କମିଶନର ସନ୍ତୋଷ ବ୍ୟକ୍ତ କରିଥିବାବେଳେ ଅନ୍ୟ ନୋଡାଲ ଏଜେନ୍ସିଗୁଡ଼ିକ ସହ ଉଚିତ ସମନ୍ୱୟ ରକ୍ଷା କରି ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ ।

ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସମସ୍ତଙ୍କ ମତାଧିକାର ସୁନିଶ୍ଚିତ କରିବା ଉପରେ ଜୋର୍ ଦେଇଛନ୍ତି ଦେଶର ମୁଖ୍ୟ ନିର୍ବାଚନ ଆୟୋଗ । ଏହି ପରିପ୍ରେକ୍ଷୀରେ ପରିବହନ କମିଶନରଙ୍କ ପକ୍ଷରୁ ବିଶେଷ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନରେ କାର୍ଯ୍ୟରେ ବ୍ୟବହୃତ କୌଣସି ଗାଡ଼ିର କର୍ମଚାରୀ ଯଦି ନିଜ ଅଞ୍ଚଳର ମତଦାନ ତାରିଖ ଦିନ ବାହାର ବ୍ଲକରେ ନିଯୁକ୍ତ ହୁଅନ୍ତି ତେବେ ସେ ଫର୍ମ ୧୨ ବ୍ୟବହାର କରି ପୋଷ୍ଟାଲ ବାଲଟ ଜରିଆରେ ଡ୍ୟୁଟିରେ ଥିବା ପୋଲିଂ କେନ୍ଦ୍ରର ରିଟର୍ଣ୍ଣିଂ ଅପିସରଙ୍କ ନିକଟରେ ନିଜର ମତ ଦାଖଲ କରିପାରିବେ I ଏଥିପାଇଁ ସ୍ଥାନୀୟ ଏଡିଏମଙ୍କ ଅଫିସରୁ ଫର୍ମ ସଂଗ୍ରହ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର । ଏଠାରେ ଉଲ୍ଲେଖଯୋଗ୍ୟ, ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇ-ଭିଜିଲ୍ ନାମକ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି । ନିର୍ବାଚନରେ କୌଣସି ତ୍ରୁଟି ଦେଖାଦେଲେ ସାଧାରଣ ନାଗରିକ ଏହି ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ।

Leave A Reply

Your email address will not be published.