ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ସୋଶାଲ ମିଡିଆ ଜରିଆରେ ଦେଲେ ସୂଚନା। 

ଭୁବନେଶ୍ୱର: ବିଜେପିରୁ ଆଜି ଇସ୍ତଫା ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।  ସେ ଦଳର ରାଜ୍ୟ ଉପ-ସଭାପତି ପଦରେ ରହିଥିଲେ। 

ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ। 

କୁହାଯାଉଛି, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ ମିଳି ନଥିଲା। ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ। ତାଙ୍କୁ ଦଳୀୟ କାର୍ଯ୍ୟାଳରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି।

କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ିଥିଲେ। ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।ଭୃଗୁ ୨୦୧୯ରେ ବିଜେପି ଟିକେଟରେ ଏହି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ବିଜେପି ଏଥର ଏହି ଆସନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି। 

Leave A Reply

Your email address will not be published.